ଆଉ ଏକ ରାଜ୍ୟକୁ ଫେରିଲା ନାଇଟ କର୍ଫ୍ୟୁ, ରାତି ୧୦ଟା ପରେ ମାର୍କେଟ ବନ୍ଦ

ଭୋପାଲ: ବର୍ଦ୍ଧିତ କରୋନା ସଂକ୍ରମଣ ଗୋଟିଏ ପରେ ଗୋଟିଏ ରାଜ୍ୟର ଚିନ୍ତା ବଢ଼ାଇବାରେ ଲାଗିଛି। ଏହି କାରଣରୁ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହେବାରେ ଲାଗିଛି। ନାଇଟ କର୍ଫ୍ୟୁ ଲାଗୁ କରିବା ତାଲିକାରେ ମଧ୍ୟପ୍ରଦେଶ ସାମିଲ ହୋଇଛି। ଆସନ୍ତା ୧୭ ତାରିଖ କାଲିଠାରୁ ରାଜ୍ୟର ଇନ୍ଦୋର ଓ ଭୋପାଲରେ ନାଇଟ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି।

ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ନାଇଟ କର୍ଫ୍ୟୁ ସହ ୮ଟି ସହରରେ ୧୭ ତାରିଖରୁ ରାତି ୧୦ଟା ପରେ ମାର୍କେଟ ଗୁଡ଼ିକ ବନ୍ଦ ରହିବ। ତେବେ ଏହି ସହରଗୁଡ଼ିକରେ କୌଣସି ପ୍ରକାରର ନାଇଟ କର୍ଫ୍ୟୁ କିମ୍ବା ଆଶିଂକ ଲକଡାଉନ ଲାଗୁ କରାଯାଉ ନଥିବା ସରକାର ସ୍ପଷ୍ଟ କରିଛନ୍ତି। କେବଳ ମାର୍କେଟ ଗୁଡ଼ିକ ରାତି ୧୦ଟା ପରେ ବନ୍ଦ ହେବ।

ନାଇଟ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ ସବୁ କିଛି ବନ୍ଦ ରହିବ। ସେହିପରି ମଧ୍ୟପ୍ରଦେଶ ସରକାର ପଡ଼ୋଶୀ ମହାରାଷ୍ଟ୍ରରୁ ରାଜ୍ୟକୁ ଆସୁଥିବା ଲୋକଙ୍କୁ ସପ୍ତାହ କାଳ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ କହିଛନ୍ତି।

ଏହା ପୂର୍ବରୁ ଗୁଜରାଟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅହମଦାବାଦ, ବଦୋଦରା, ସୁରତ ଓ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ କରିଥିଲେ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ତାରିଖ ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ। କର୍ଫ୍ୟୁ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ ଗାଡ଼ିମୋଟର ଚାଳାଚଳ ଉପରେ ମଧ୍ୟ କଟକଣା ଲାଗୁ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।