ରାଜନୀତି ଛାଡ଼ିବା କଥା ଭାବୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ

ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ବେଳେବେଳେ ସେ ରାଜନୀତି ଛାଡ଼ି ଦେବା କଥା ଚିନ୍ତା କରୁଥିବା କହିବା ପରେ ହଇଚଇ ସୃଷ୍ଟି ହୋଇଛି। ସମାଜ ପାଇଁ ଅନେକ କିଛି କାମ କରିବାର ଅଛି। ତେଣୁ ବେଳେବେଳେ ସେ ରାଜନୀତି ଛାଡ଼ି ଦେବାକୁ ଭାବୁଥିବା କହିଛନ୍ତି।

ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ଅଧ୍ୟକ୍ଷ ଗଡ଼କରୀ କହିଛନ୍ତି “ ରାଜନୀତିର ଅର୍ଥ ଆମକୁ ବୁଝିବାକୁ ପଡ଼ିବ। ଏହା ସମାଜ ଓ ଦେଶର କଲ୍ୟାଣ ପାଇଁ ନା କେବଳ ସରକାରରେ ରହିବା ପାଇଁ? ମହାତ୍ମା ଗାନ୍ଧିଙ୍କ ଯୁଗରୁ ରାଜନୀତି ସାମାଜିକ ବିପ୍ଳବର ଅଂଶ ହୋଇ ରହିଛି। କିନ୍ତୁ ଏହାପରେ ଏହା ଦେଶ ଓ ବିକାଶର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା। ଏବେ ଆମେ ଦେଖୁଛୁ ଯେ ରାଜନୀତିର ୧୦୦% ଅର୍ଥ ହେଉଛି ସରକାର ଗଠନ କରିବା। ରାଜନୀତି ହେଉଛି ସାମାଜିକ ଓ ଆର୍ଥିକ ସଂସ୍କାରର ପ୍ରକୃତ ଉପକରଣ। ତେଣୁ ଆଜିର ରାଜନେତାମାନେ ଶିକ୍ଷା, ସଂସ୍କୃତି, କଳା ଇତ୍ୟାଦିର ବିକାଶ ପାଇଁ କାମ କରିବା ଦରକାର।”

ସାମାଜିକ କର୍ମୀ ଗିରିଶ ଗାନ୍ଧିଙ୍କୁ ସମ୍ମାନୀତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ନୀତୀନ ଗଡ଼କରୀ ଯୋଗ ଦେଇଥିଲେ। ପୂର୍ବତନ ଏମଏଲସି ଗାନ୍ଧି ଏନସିପିରେ ଥିଲେ। କିନ୍ତୁ ୨୦୧୪ରେ ଦଳ ଛାଡ଼ି ସମାଜ ସେବା କରିବାରେ ଲାଗିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି, “ଯେତେବେଳେ ଗିରିଶ ବାବୁ ରାଜନୀତିରେ ଥିଲେ ସେତେବେଳେ ମୁଁ ତାଙ୍କୁ ଏହା ଛାଡ଼ି ଦେବାକୁ ଉତ୍ସାହିତ କରୁଥିଲି। କାରଣ ମୁଁ ମଧ୍ୟ ବେଳେବେଳେ ରାଜନୀତି ଛାଡ଼ି ଦେବାକୁ ଚିନ୍ତା କରୁଛି। ରାଜନୀତି ବ୍ୟତୀତ ଜୀବନରେ ଆହୁରି ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାମ କରିବାର ଅଛି।”

ନାଗପୁର ସାଂସଦ ଗଡ଼କରୀ ରାଜନେତା ଜର୍ଜ ଫର୍ଣ୍ଣାଡିଜଙ୍କ ସାଧାରଣ ଜୀବନ ଶୈଳୀକୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ ଠାରୁ(ଜର୍ଜ ଫର୍ଣ୍ଣାଡିଜ) ବହୁତ କିଛି ଶିଖିଛି। ସେ କେବେ ହେଲେ ନିଜର କ୍ଷମତା ପାଇଁ ବ୍ୟସ୍ତ ନଥିଲେ। ସେ ଏମିତି ଗୋଟିଏ ପ୍ରେରଣାଦାୟୀ ଜୀବନ ଅତି ବାହିତ କରିଥିଲେ ଯେ ଯାହାକୁ ମୁଁ ସବୁବେଳେ ଚିନ୍ତା କରି ଆସିଛି। ମୋ ପାଇଁ ଯେତେବେଳେ ଲୋକମାନେ ବଡ଼ବଡ଼ ଫୁଲତୋଡ଼ା ଆଣନ୍ତି କିମ୍ବା ମୋ ପୋଷ୍ଟର ଲଗାନ୍ତି, ତା’କୁ ଦେଖି ମୁଁ ଘୃଣା କରିବା ଆରମ୍ଭ କରେ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।