ବିଜେପିର ଜନସଂଖ୍ୟା ନିୟନ୍ତ୍ରଣ ଯୋଜନାକୁ ନୀତୀଶ କୁମାରଙ୍କ କାଉଣ୍ଟର

ପାଟନା: ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ଆସାମ ଭଳି ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ହେଲେ ବିଜେପିର ବିହାର ସହଯୋଗୀ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୋଲାଖୋଲି ଭାବେ ଏହାକୁ କାଉଣ୍ଟର କରିଛନ୍ତି। କେବଳ ଆଇନ ପ୍ରଣୟନ କରିଦେଲେ ଜନସଂଖ୍ୟା ନିୟନ୍ତ୍ରଣ ହୋଇଯିବ ବୋଲି ଭାବିବା ଭୁଲ ବୋଲି ନୀତୀଶ କୁମାର କହିଛନ୍ତି।

ସୋମବାର ସାମ୍ବାଦିକମାନଙ୍କୁ ନୀତୀଶ କୁମାର କହିଛନ୍ତି, “ରାଜ୍ୟଗୁଡ଼ିକ ନିଜ ଇଚ୍ଛାରେ ସବୁ କିଛି କରିପାରିବେ। ସେମାନଙ୍କୁ କେହି ବି ରୋକି ପାରିବେ ନାହିଁ। କିନ୍ତୁ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ଗୋଟିଏ ଆଇନ ପ୍ରଣୟନ କରିଦେଲେ, କେବେ ହେଲେ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ।

ଆପଣମାନେ ଚାଇନା ଓ ଅନ୍ୟ ଦେଶଗୁଡ଼ିକ ଏହାର ଉଦାହରଣ ଭାବେ ନେଇପାରିବେ। ଯେତେବେଳେ ମହିଳାମାନେ ସଚେତନ ଓ ଶିକ୍ଷିତ ହେବେ ସେତେବେଳେ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବ। ବିହାରର ତଥ୍ୟ ମଧ୍ୟ ସମାନ କଥା କହୁଛି। ୨୦୪୦ ସୁଦ୍ଧା ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ ହେବ। ଯଦି କିଛି ଲୋକ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ କରିବାକୁ ଚାହୁଁଛନ୍ତି, ତା’ହେଲେ ସେଇଟା ତାଙ୍କ ଚିନ୍ତାଧାରା ହୋଇପାରେ।

ଆମ ଚିନ୍ତାଧାରା ପୂରା ସ୍ପଷ୍ଟ ଯେ ଆମେ କେମିତି ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବୁ? ଏହା କେବଳ ଗୋଟିଏ ସଂପ୍ରଦାୟର ଲୋକଙ୍କ କଥା ନୁହେଁ। କିନ୍ତୁ ମହିଳାମାନେ ଶିକ୍ଷିତ ହେଲେ ସମସ୍ତେ ଲାଭବାନ ହେବେ। ଆପଣ ଦେଖନ୍ତୁ ମହିଳାମାନେ ଶିକ୍ଷତ ହେବାରୁ ବିହାରରେ ଜନ୍ମହାର କେତେ କମିଲାଣି।”

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ସରକାର ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ଏହି ଡ୍ରାଫ୍ଟ ଆଇନରେ ସରକାରୀ ଚାକିରି ମିଳିବ ନାହିଁ ବୋଲି ବ୍ୟବସ୍ଥା ହୋଇଛି। ସେହିପରି ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ଦୁଇରୁ ଅଧିକ ସନ୍ତାନ ଥିବା ବାପା ମା’ଙ୍କୁ ବଞ୍ଚିତ କରାଯିବ ବୋଲି ଯୋଗୀ ସରକାର ନୂଆ ଆଇନ ଆଣୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।