ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦ ଅଚଳ, ସରକାର ବି ଜିଦରେ ଅଟଳ

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଘଟଣା ପୁଣିଥରେ ଦେଶର ରାଜନୀତିକୁ ସରଗରମ କରିଦେଇଛି। ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ। ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ଗିରଫ ହୋଇଛନ୍ତି। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ଆଇଟି କହିଥିବାରୁ ବିରୋଧୀ […]

ajya-mishra

ajya-mishra

Hemant Lenka
  • Published: Thursday, 16 December 2021
  • Updated: 16 December 2021, 12:38 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଘଟଣା ପୁଣିଥରେ ଦେଶର ରାଜନୀତିକୁ ସରଗରମ କରିଦେଇଛି। ଘଟଣାର ତଦନ୍ତ କରୁଥିବା ଏସ୍‌ଆଇଟି ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ।

ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ଗିରଫ ହୋଇଛନ୍ତି। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ଆଇଟି କହିଥିବାରୁ ବିରୋଧୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରିଛନ୍ତି।

ଆଜି ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରୁଥିଲେ ମଧ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କେନ୍ଦ୍ର ସରକାର ଅଜୟ ମିଶ୍ରାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ମୁଡରେ ନଥିବା ଜଣାପଡ଼ିଛି।

ସରକାରୀ ସୂତ୍ର ଅନୁସାରେ, ସରକାର ଓ ବିଜେପି ଏସ୍‌ଆଇଟି ରିପୋର୍ଟକୁ ପୂରା ମାମଲାର ଚୂଡ଼ାନ୍ତ ରାୟ ବୋଲି ଗ୍ରହଣ କରୁନାହିଁ। ଏସ୍‌ଆଇଟି ଘଟଣାର ତଦନ୍ତ କରି ଅକ୍ଟୋବର ୩ରେ ଚାଷୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କହିଛି। ହେଲେ ସରକାର ତଦନ୍ତର ପୂରା ରାୟକୁ ଅପେକ୍ଷା କରିଛନ୍ତି। ସେହିପରି ଚାଷୀଙ୍କ ଉପରେ ଗାଡ଼ି ମଡ଼ା ଯିବା ଘଟଣାରେ ପୁଲିସ୍‌ ଆଶିଷଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଅଜୟ ମିଶ୍ରାଙ୍କ ସଂପୃକ୍ତି ନେଇ ଏଯାଏ କୌଣସି ପ୍ରମାଣ ମିଳିନି। ତେଣୁ ଅଜୟ ମିଶ୍ରା ଏବେ ବି ସରକାରଙ୍କ ଗୁଡବୁକ୍‌ରେ ଅଛନ୍ତି।

ତେବେ ଅଜୟ ମିଶ୍ରା ବୁଧବାର ଜଣେ ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ଏହାକୁ ବିଜେପି ହାଇକମାଣ୍ଡ ନାପସନ୍ଦ କରିଛନ୍ତି। ଜଣେ ସାମ୍ବାଦିକ ତାଙ୍କୁ ଏସ୍ଆଇଟି ରିପୋର୍ଟ ବିଷୟରେ ପଚାରିବାକୁ ଶ୍ରୀ ମିଶ୍ରା ଚିହିଁକି ଉଠିଥିଲେ। ଏବେ ଦଳ ପକ୍ଷରୁ ତାଙ୍କୁ ତାଗିଦ କରାଯିବା ସହ ସଂଯମତା ରକ୍ଷା କରିବାକୁ କୁହାଯାଇଛି।

ସରକାର ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ସେ ମଧ୍ୟ ଆଜି ନିଜ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ଆଜି ସଂସଦ ଭିତରେ ଓ ବାହାରେ ଅଜୟ ମିଶ୍ରାଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଲୋକସଭାରେ ରାହୁଲ ଗାନ୍ଧି କହିଛନ୍ତି, “ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ କିମ୍ବା ସେ ଇସ୍ତଫା ଦିଅନ୍ତୁ। ସେ ଜଣେ ଅପରାଧୀ। ଆମକୁ ଲଖିମପୁର ଖେରିରେ ଘଟିଥିବା ହତ୍ୟା ବାବଦରେ କହିବାକୁ ଅନୁମତି ମିଳୁ। ପୂରା ଘଟଣାରେ ମନ୍ତ୍ରୀଙ୍କ ଭୂମିକା ରହିଛି। ତେଣୁ ଏସ୍‌ଆଇଟି ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କହିଛି।”

କେବଳ ରାହୁଲ ଗାନ୍ଧି ନୁହନ୍ତି ଏକାଧିକ ବିରୋଧୀ ଦଳର ନେତା ମଧ୍ୟ ମୁଲତବୀ ନୋଟିସ ଦେଇ ଗୃହରେ ଆଲୋଚନା କରିବାକୁ ଚାହୁଁଛନ୍ତି। ହେଲେ ବାଚସ୍ପତି ଏଥିପାଇଁ ଅନୁମତି ଦେଉ ନଥିବାରୁ ଏହାକୁ ନେଇ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହ ବାହାରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କରି ବିକ୍ଷୋଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos