ଚିତା ବାଘଙ୍କୁ ଜଙ୍ଗଲରେ ଛାଡ଼ିବା ପରେ କ’ଣ ସବୁ କହିଲେ ମୋଦି

ଭୋପାଲ: ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଜଙ୍ଗଲକୁ ଛାଡ଼ିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ବାଘଗୁଡ଼ିକୁ ଛାଡ଼ିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ ସେ ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି, “ଅତୀତ ସୁବର୍ଣ୍ଣ ଭବିଷ୍ୟତର […]

Modi

Modi

Hemant Lenka
  • Published: Saturday, 17 September 2022
  • Updated: 17 September 2022, 12:50 PM IST

Sports

Latest News

ଭୋପାଲ: ନାମିବ୍ୟାରୁ ଅଣାଯାଇଥିବା ୮ ଚିତା ବାଘଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଜଙ୍ଗଲକୁ ଛାଡ଼ିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ବାଘଗୁଡ଼ିକୁ ଛାଡ଼ିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି। ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦି ଏହାକୁ ଐତିହାସିକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ ସେ ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସେ କହିଛନ୍ତି, “ଅତୀତ ସୁବର୍ଣ୍ଣ ଭବିଷ୍ୟତର ସୁଯୋଗ ଦେଇଥାଏ। ମୁଁ ଆମର ବନ୍ଧୁ ରାଷ୍ଟ୍ର ନାମିବ୍ୟା ଓ ସେଠାକାର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ସେମାନଙ୍କ ସହଯୋଗ ଯୋଗୁ ଦୀର୍ଘ ୭ ଦଶନ୍ଧି ପରେ ଚିତା ବାଘ ଭାରତ ମାଟିକୁ ଫେରିଛନ୍ତି। ଦଶନ୍ଧି ପୂର୍ବରୁ ଜୈବ ବିବିଧତାର ଯେଉଁ ପୁରୁଣା ସମ୍ପର୍କ ଛିଡ଼ି ଯାଇଥିଲା ଓ ବିଲୁପ୍ତ ହୋଇଯାଇଥିଲା, ଆଜି ତା’କୁ ପୁନଃସଂଯୋଗ କରିବାର ସୁଯୋଗ ଆମକୁ ମିଳିଛି। ଆଜି ଭାରତର ମାଟିକୁ ଚିତା ଫେରି ଆସିଛନ୍ତି। ମୁଁ ଏହା ମଧ୍ୟ କହିବି ଯେ ଏହି ଚିତାମାନଙ୍କ ସହିତ ଭାରତର ପ୍ରକୃତି ପ୍ରେମର ଚେତନା ମଧ୍ୟ ପୂର୍ଣ୍ଣ ଶକ୍ତି ସହିତ ଜାଗ୍ରତ ହୋଇଉଠିଛି।”

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ୧୯୫୨ ମସିହାରେ ଦେଶରୁ ଚିତା ବିଲୁପ୍ତ ହେବା କଥା ଘୋଷଣା କରାଯାଇଥିଲା। କିନ୍ତୁ ବିଗତ ଦଶନ୍ଧିଗୁଡ଼ିକରେ ଚିତାର ପୁନରୁଦ୍ଧାର ପାଇଁ କୌଣସି ଗଠନମୂଳକ ପ୍ରୟାସ କରାଯାଇ ନଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଆଜି ସ୍ୱାଧୀନତାର ଅମୃତକାଳରେ ଦେଶ ନୂତନ ଶକ୍ତି ସହିତ ଚିତାର ପୁନରୁଉଦ୍ଧାର କାମରେ ଲାଗିପଡ଼ିଛି।

ଯେତେବେଳେ ପ୍ରକୃତି ଓ ପରିବେଶ ସୁରକ୍ଷିତ ରୁହେ ସେତେବେଳେ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇଥାଏ। ଏହାବାଦ ବିକାଶ ଓ ସମୃଦ୍ଧିର ରାସ୍ତା ମଧ୍ୟ ମିଳିଥାଏ। ଯେତେବେଳେ କୁନୋ ଜାତୀୟ ଉଦ୍ୟାନରେ ଚିତା ପୁଣି ଦୌଡ଼ିବେ ସେତେବେଳେ ଏଠାରେ ଥିବା ତୃଣଭୂମି ଇକୋସିଷ୍ଟମ୍ ପୁନଃ ସଂରକ୍ଷିତ ହୋଇପାରିବ ଓ ଜୈବ ବିବିଧତା ଆହୁରି ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି।

ଚିତା ବାଘଗୁଡ଼ିକୁ ଦେଖିବାକୁ ଲୋକମାନେ ଅପେକ୍ଷା କରିଥିବା ବେଳେ ମୋଦି ସେମାନଙ୍କୁ କିଛି ମାସ ଧୈର୍ଯ୍ୟର ରଖିବାକୁ କହିଛନ୍ତି। ସେ କହିଛନ୍ତି, “ଦେଶବାସୀଙ୍କୁ ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ। କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ଚିତାକୁ ଦେଖିବା ପାଇଁ ସମସ୍ତଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏବେ ଚିତା ଗୁଡ଼ିକ ଅତିଥି ଭାବେ ଏଠାକୁ ଆସିଛନ୍ତି। ସେମାନେ ଏହି ନୂଆ ସ୍ଥାନ ବିଷୟରେ ଜାଣି ନାହାନ୍ତି। ସେମାନେ ନୂଆ ସ୍ଥାନକୁ ନିଜର ଘର ଭାବେ ବାଛିବା ପାଇଁ କିଛି ସମୟ ଆବଶ୍ୟକ କରୁଛନ୍ତି। ତେଣୁ ସେମାନଙ୍କୁ ସମୟ ଦେବାକୁ ପଡ଼ିବ। ଅନ୍ତର୍ଜାତୀୟ ଗାଇଡଲାଇନକୁ ଅନୁକରଣ କରି ଚିତାମାନଙ୍କ ସୁରକ୍ଷା ଆମକୁ କରିବାକୁ ପଡ଼ିବ।”

ସୂଚନାଯୋଗ୍ୟ, ନାମିବ୍ୟାକୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ବାଘ ଭାରତ ଅଣାଯାଇଛି। ସେମାନଙ୍କୁ ଏବେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି। ଚିତା ଗୁଡ଼ିକର ଗତିପଥକୁ ଅନୁଧ୍ୟାନ କରିବାକୁ ସେମାନଙ୍କ ଶରୀରରେ ରେଡିଓ କଲାର୍ସ ଲଗାଯାଇଛି। ଏହାବାଦ ୨୪ ଘଣ୍ଟା ପ୍ରତିଟି ଚିତା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos