କରୋନାର ତୃତୀୟ ୱେଭ ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବ କି? ଜବାବ ଦେଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ଚାରିଆଡ଼େ ଚର୍ଚ୍ଚା। କରୋନାର ତୃତୀୟ ୱେଭ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ଓଡ଼ିଶା ଭଳି କିଛି ରାଜ୍ୟ ଏବେ ଠାରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।

ହେଲେ କରୋନାର ତୃତୀୟ ୱେଭ ଯେ ଛୋଟ ପିଲାମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରିବ, ତା’ର ପ୍ରମାଣ କିଛି ନାହିଁ ବୋଲି ଆଜି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି। ସେ କହିଛନ୍ତି, ଏଯାଏ ଏମିତି କିଛି ପ୍ରମାଣ ମିଳିନାହିଁ, ଯାହା ଦ୍ୱାରା କରୋନାର ତୃତୀୟ ୱେଭ ଅନ୍ୟମାନଙ୍କ ତୁଳନାରେ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆମେ କହିବା।

କରୋନାର ନୂଆ ଓ ପୁରୁଣା ଭାରିଏଣ୍ଟ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରୁଛି ବୋଲି ଏଯାଏ ପ୍ରମାଣ ମିଳିନି। ଆମେ ଯଦି ଭାରତର ପ୍ରଥମ ଓ ଦ୍ୱିତୀୟ ୱେଭ ସହ ବିଶ୍ୱର ସମସ୍ତ ତଥ୍ୟ ଦେଖିବା, ତା’ହେଲେ ଏକଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ତେଣୁ ଆମେ କେବେ ହେଲେ କହିପାରିବା ନାହିଁ ଯେ ତୃତୀୟ ୱେଭ ଆସିଲେ ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବ।

ଦ୍ୱିତୀୟ ୱେଭର ତଥ୍ୟ ଅନୁଯାୟୀ, କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୬୦ରୁ ୭୦% ଛୋଟ ପିଲା ଅନ୍ୟ ରୋଗରେ ପୀଡ଼ିତ ଥିଲେ। ସେମାନେ ବହୁବିଧ ରୋଗରେ ପୀଡ଼ିତ ଥିବାରୁ ସେମାନେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କିଛି ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥିବା ବେଳେ ଆଉ କିଛି ପିଲା କେମୋ ଥେରାପୀ ନେଉଥିଲେ। ସ୍ୱାସ୍ଥ୍ୟବାନ ପିଲା କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ି ନଥିଲା।

୧୯୧୮ ମହାମାରୀ ତଥ୍ୟକୁ ଆମେ ଯଦି ଦେଖିବା ତା’ହେଲେ ଦ୍ୱିତୀୟ ୱେଭ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ସର୍ବାଧିକ ମୃତ୍ୟୁ ଓ ସଂକ୍ରମିତ ଦ୍ୱିତୀୟ ୱେଭ ବେଳେ ଚିହ୍ନଟ ହୋଇଥିଲେ। ସେହିପରି ତୃତୀୟ ୱେଭରେ ଏହି ସଂଖ୍ୟା କମ ରହିଥିଲା। ତେଣୁ କରୋନା ମହାମାରୀ ଯୋଗୁ ସେମିତି କିଛି ଘଟିପାରେ।

ଲକଡାଉନ ଯୋଗୁ ସଂକ୍ରମଣ କମିଛି। କିନ୍ତୁ ଅନଲକ ପରେ ପୁଣି ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଅନଲକ ପରେ ମଧ୍ୟ ସମସ୍ତଙ୍କୁ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏପରି ହେଲେ କରୋନା ସଂକ୍ରମଣର ଚେନ୍‌କୁ ଆମେ ଭାଙ୍ଗି ପାରିବା ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।