ଏଣିକି ମଧ୍ୟାହ୍ନ ଭୋଜନ ଭଳି ଅଣ ଶିକ୍ଷା କାମରେ ନିୟୋଜିତ ହୋଇପାରିବେନି ଶିକ୍ଷକ

ଲକ୍ଷ୍ନୌ: ବିଭିନ୍ନ ରାଜ୍ୟରେ ଶିକ୍ଷକମାନେ କରୁଥିବା ଅଣ ଶିକ୍ଷା କାମ ଉପରେ ରୋକ ଲଗାଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଣିକି ଶିକ୍ଷକମାନଙ୍କୁ ସରକାର କୌଣସି ଅଣ ଶିକ୍ଷା କାମରେ ନିୟୋଜିତ କରିପାରିବେ ନାହିଁ। ଶିକ୍ଷାର ଅଧିକାର ୨୦୦୯ ଆଧାରରେ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କୋର୍ଟ ସମସ୍ତ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ ଓ ବେସିକ ଏଡୁକେସନ ଅଫିସରଙ୍କୁ ଏ ସମ୍ପର୍କରେ ଉପଯୁକ୍ତ ବିଜ୍ଞପ୍ତି ତୁରନ୍ତ ପ୍ରକାଶ କରିବାକୁ ମଧ୍ୟ କହିଛନ୍ତି। ଶିକ୍ଷକମାନେ ଶିକ୍ଷା କାମ ପାଇଁ ନିଯୁକ୍ତି ପାଇଥାଆନ୍ତି। ହେଲେ ଅନେକ ସମୟରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ, ବିଲଡିଂ ନିର୍ମାଣ, ସ୍କୁଲ ଆଉକାଉଣ୍ଟର ପରିଚାଳନା, ଆଧାର କାର୍ଡର ପ୍ରସ୍ତୁତିରେ ସହାୟତା କରିବା, ଭୋଟ ପରିଚୟ ପତ୍ର ଓ ବିଭିନ୍ନ ପ୍ରକାରର ସର୍ଭେ କାମରେ ରାଜ୍ୟ ସରକାର ନିୟୋଜିତ କରିଥାଆନ୍ତି।

ହେଲେ ଏହା ସେମାନଙ୍କର କାମ ନୁହେଁ ବୋଲି କୋର୍ଟ ହୃଦୟଙ୍ଗମ କରିଛନ୍ତି। କୋର୍ଟ ଶିକ୍ଷକଙ୍କ ଅଣ ଶିକ୍ଷା କାମ ଉପରେ ରୋକ ଲଗାଇଥିବାରୁ ଏଣିକି ଆଉ ଏସବୁ କାମରେ ସେମାନଙ୍କୁ ସରକାର ନିୟୋଜିତ କରିପାରିବେ ନାହିଁ।

କୋର୍ଟ କହିଛି ଶିକ୍ଷକମାନଙ୍କୁ କେବଳ ବିପର୍ଯ୍ୟୟ, ଜନଗଣନା ଓ ସାଧାରଣ ନିର୍ବାଚନ ଭଳି ଅଣଶିକ୍ଷା କାମରେ ନିୟୋଜିତ କରାଯାଇ ପାରିବ। ଶିକ୍ଷା ଅଧିକାର ୨୦୦୯ର ରୁଲ ୨୭ରେ ଶିକ୍ଷକମାନଙ୍କୁ ଅଣ ଶିକ୍ଷା କାମରେ ନିୟୋଜିତ କରାଯାଇ ପାରିବ ନାହିଁ ବୋଲି ପ୍ରାବଧାନ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।