ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ଉଦ୍ଧବ-ସିନ୍ଧେ କଳି, ଗୁରୁବାର ଯାଏ ନିଷ୍ପତ୍ତି ଝୁଲିଲା

ନୂଆଦିଲ୍ଲୀ: ବାଲା ସାହେବ ଠାକରେଙ୍କ ଶିବସେନା ଉପରେ କାହାର ଅଧିକାର ରହିଛି, ତା’ର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ। ଉଦ୍ଧବ ଠାକରେ ଶିବସେନାକୁ ନିଜର କହୁଥିବା ବେଳେ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ମଧ୍ୟ ସମାନ ଦାବି କରୁଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆଜି ସୁପ୍ରିମକୋର୍ଟ ମାମଲାର ବିଚାର ବୃହତ୍ତର ସାମ୍ବିଧାନିକ ବେଞ୍ଚରରେ କରାଯିବ ବୋଲି କହିଛନ୍ତି। […]

Shivsena

Shivsena

Hemant Lenka
  • Published: Tuesday, 23 August 2022
  • Updated: 23 August 2022, 02:16 PM IST

ନୂଆଦିଲ୍ଲୀ: ବାଲା ସାହେବ ଠାକରେଙ୍କ ଶିବସେନା ଉପରେ କାହାର ଅଧିକାର ରହିଛି, ତା’ର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ। ଉଦ୍ଧବ ଠାକରେ ଶିବସେନାକୁ ନିଜର କହୁଥିବା ବେଳେ ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ମଧ୍ୟ ସମାନ ଦାବି କରୁଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆଜି ସୁପ୍ରିମକୋର୍ଟ ମାମଲାର ବିଚାର ବୃହତ୍ତର ସାମ୍ବିଧାନିକ ବେଞ୍ଚରରେ କରାଯିବ ବୋଲି କହିଛନ୍ତି। ସେହିପରି ଶିବସେନାର ଦଳୀୟ ଚିହ୍ନ ଉପରେ କୌଣସି ନିଷ୍ପତ୍ତି ଗୁରୁବାର ଯାଏ ନ ନେବାକୁ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶିବସେନାର ଦଳୀୟ ଚିହ୍ନ ନିଜ ପାଖକୁ ଆଣିବା ପାଇଁ ସିନ୍ଧେ ଗୋଷ୍ଠୀ ଇସିଙ୍କ ଦ୍ୱାରସ୍ଥ ହୋଇଥିଲା। ଏହା ବିରୋଧରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଗୁରୁବାର ଉଦ୍ଧବ-ସିନ୍ଧେ କଳିର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “ଏହି ମାମଲାର ଶୁଣାଣି ଦିନକ ପରେ ସାମ୍ବିଧାନିକ ଖଣ୍ଡପୀଠରେ କରାଯିବ। ଶୁଣାଣି ଆରମ୍ଭ ବେଳେ ବେଞ୍ଚ ନିର୍ବାଚନ କମିଶନ ଦଳୀୟ ଚିହ୍ନର ବିଚାର କରିବେ କି ନାହିଁ, ତା’ ଉପରେ ରାୟ ଶୁଣାଇବେ। ସେ ଯାଏ ନିର୍ବାଚନ କମିଶନ ଦଳୀୟ ଚିହ୍ନ ଉପରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।”

ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେ ଉଭୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ଓ ଅନ୍ୟ ଟେକ୍ନିକାଲ ପ୍ରସଙ୍ଗକୁ ନେଇ ଦୁଇ ଗୋଷ୍ଠୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିବାକୁ ଗତ ମାସରେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ଅନୁରୋଧ କରିଥିଲେ। ଏଥିସହ ପ୍ରକୃତ ଶିବସେନା କିଏ, ତା’ର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ିବାକୁ ଏହି ଗୋଷ୍ଠୀ ଆବେଦନ କରିଥିଲା। ଏହାବାଦ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ସୁପ୍ରିମକୋର୍ଟ ହସ୍ତକ୍ଷେପ ନ କରିବା ଦରକାର ବୋଲି ସିନ୍ଧେଙ୍କ ଓକିଲ କହିଥିଲେ। ତେବେ ସୁପ୍ରିମକୋର୍ଟ ଏହାର ଶୁଣାଣି ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୩୯ ଜଣ ବିଦ୍ରୋହ ଘୋଷଣା କରିଥିଲେ। ଫଳରେ ଶିବସେନା-ଏନସିପି ଓ କଂଗ୍ରେସ ମହାରାଷ୍ଟ୍ରରେ ଗଠନ କରିଥିବା ମହା ବିକାଶ ଅଘାଡ଼ି ସରକାର ଭୁଶୁଡ଼ି ପଡ଼ିଥିଲା। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ସହ ମିଶି ସିନ୍ଧେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଶିବସେନାକୁ ନିଜର ବୋଲି ଦାବି କରି ଉଦ୍ଧବ ଠାକରେଙ୍କୁ ଏକଘରକିଆ କରିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos