ଦରବୃଦ୍ଧି ପ୍ରସଙ୍ଗରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, ବିରକ୍ତ ହୋଇ କଂଗ୍ରେସର କକ୍ଷତ୍ୟାଗ

ନୂଆଦିଲ୍ଲୀ: ଦେଶର ଦରଦାମ ବୃଦ୍ଧି ସମସ୍ୟାକୁ ନେଇ ଆଜି ଲୋକସଭାରେ ଜୋରଦାର ବିତର୍କ ହୋଇଛି। ଦରଦାମ ବୃଦ୍ଧି ସମ୍ପର୍କରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିମର୍ଳା ସୀତାରମଣ ପକ୍ଷ ରଖିବା ସହ ଭାରତ କେବେ ହେଲେ ବି ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବନାହିଁ ବୋଲି ଆଶ୍ୱସନା ଦେଇଛନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ଭାଷଣ ଚାଲିଥିବା ବେଳେ ଅଧାରୁ କଂଗ୍ରେସ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛନ୍ତି।

ନିର୍ମତା ସୀତାରମଣ ସରକାରଙ୍କ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଛନ୍ତି ଯେ, “ମହାମାରୀ, କରୋନାର ଦ୍ୱିତୀୟ ଲହର, ଓମିକ୍ରନ, ରୁଷ-ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଆମେ ଦେଶର ମୁଦ୍ରାସ୍ଫୀତି ୭% କିମ୍ବା ତା’ର କମ ରଖିବାକୁ ସକ୍ଷମ ହୋଇଛୁ। ଏହାକୁ ସମସ୍ତେ ମାନିବା ଦରକାର। ବର୍ତ୍ତମାନ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭% ରହିଛି। ୨୦୦୪ରୁ ୨୦୧୪ ମଧ୍ୟରେ ଅର୍ଥାତ ୟୁପିଏ ଶାସନ ବେଳେ ଏହି ହାର ଦୁଇ ଅଙ୍କ ଛୁଇଁଥିଲା। ସେହିପରି ମୁଦ୍ରାସ୍ଫୀତି କ୍ରମାଗତ ୨୨ ମାସ ୯% ଉପରେ ରହିଥିଲା।”

ଅଧିକାଂଶ ମୁଦ୍ରାସ୍ଫୀତି ଖାଦ୍ୟ ଓ ତେଲ ପାଇଁ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଖାଦ୍ୟ ମୁଦ୍ରାସ୍ଫୀତି ବର୍ତ୍ତମାନ ସାରା ଦେଶରେ ହ୍ରାସ ପାଇବା ଆରମ୍ଭ ହୋଇଛି। ଭାରତରେ ମଧ୍ୟ ଏହା ହ୍ରାସ ପାଇବ। ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତର ସ୍ଥିତି ଠିକ ଅଛି। ଆମେରିକାର ଜିଡିପି ଦ୍ୱିତୀୟ କ୍ୱାର୍ଟରରେ ୦.୭ କମିଛି। ପ୍ରଥମ କ୍ୱାର୍ଟରରେ ଏହା ୧.୧୯% ହ୍ରାସ ପାଇଥିଲା। ସେମାନେ କହୁଛନ୍ତି ଏହା ଅଘୋଷିତ ମାନ୍ଦାବସ୍ଥା। କିନ୍ତୁ ଭାରତ ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ପ୍ରଶ୍ନ ହିଁ ଉଠୁନି। ଗୋଟିଏ ସର୍ଭେରୁ ଅର୍ଥନୀତିକ ବିଶାରଦମାନେ କହିଛନ୍ତି ଯେ ଭାରତ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ଆଶଙ୍କା ଶୂନ ପ୍ରତିଶତ। ତେଣୁ ଏହାକୁ ସମସ୍ତେ ମାନିବା ଦରକାର ବୋଲି ସେ କହିଛନ୍ତି।

ଅର୍ଥନୀତିର ଅନ୍ୟ ସବୁ ପାରାମିଟର ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, “ବ୍ୟବସାୟିକ ବ୍ୟାଙ୍କ ଗୁଡ଼ିକର ଏନପିଏ ଏବେ ୬ ବର୍ଷ ତଳେ ରହିଛି। ଜିଏସଟି ସଂଗ୍ରହ କ୍ରମାଗତ ୫ ମାସ ହେଲାଣି ୧.୪ ଲକ୍ଷ କୋଟି ଉପରେ ରହୁଛି। ଆଜି ପ୍ରାୟ ୩୦ ଜଣ ସାଂସଦ ଦରଦାମ ବୃଦ୍ଧି ଉପରେ ମତ ରଖିଥିଲେ। କିନ୍ତୁ କେହି ବି ତଥ୍ୟ ଭିତ୍ତିରେ ବିତର୍କ କଲେନାହିଁ। ସମସ୍ତେ ରାଜନୀତି ଦୃଷ୍ଟି ଭଙ୍ଗି ରଖି ବିତର୍କରେ ଭାଗ ନେଇଛନ୍ତି। ମୁଁ ସବୁ ଶ୍ରେୟ ଭାରତବାସୀଙ୍କୁ ଦେବା ପାଇଁ ଚାହେଁ। ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ଛିଡ଼ା ହୋଇଛନ୍ତି। ଏଥିସହ ଭାରତର ଅର୍ଥନୀତିକୁ ଦ୍ରୁତଗତିରେ ଆଗକୁ ନେଉଛନ୍ତି। ସରକାର ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଏହା ୭% ତଳକୁ ଆସିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।