୨୮ରେ ଭଙ୍ଗା ହେବ ବିଶାଳକାୟ ଟ୍ୱିନ ଟାୱାର୍ସ, ବ୍ୟବହାର ହେବ ୩,୫୦୦ କେଜି ବିସ୍ଫୋରକ

ନୂଆଦିଲ୍ଲୀ: ଦେବାଳିଆ ଘୋଷିତ ସୁପରଟେକ କମ୍ପାନୀ ନୋଏଡାରେ ତିଆରି କରିଥିବା ବିଶାଳକାୟ ଟୁଇନ ଟାୱାର୍ସ ବିଲଡିଂକୁ ଭାଙ୍ଗିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୨୮ ତାରିଖରେ ସୁପରଟେକ୍‌ର ଦୁଇଟି ଯାକ ବିଲଡିଂ ଭଙ୍ଗାଯିବ। କମ୍ପାନୀ ଦେବାଳିଆ ହୋଇଥିବା ବେଳେ ବିଲଡିଂ ତିଆରି ବେଳେ ନିୟମକୁ ଉଲ୍ଲଙ୍ଘନ କରାଯାଇଥିଲା। ଏଥିପାଇଁ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଦୁଇଟି ଯାକ ଟାୱାରର ଭଙ୍ଗାକାମ ସେପ୍ଟେମ୍ବର ୪ ସୁଦ୍ଧା ଶେଷ ହେବ। ବିଶାଳକାୟ ବିଲଡିଂକୁ ଭାଙ୍ଗିବା ପାଇଁ ୩,୫୦୦ କେଜିର ବିସ୍ଫୋରକ ବ୍ୟବହାର କରାଯିବ। ଏହି ରାୟର ଦିନକ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ କମିଟି ଟୁଇନ ଟାୱାର୍ସକୁ ବିସ୍ଫୋରକ ଦ୍ୱାରା ଭାଙ୍ଗିବାକୁ ଅନୁମତି ଦେଇଥିଲା। ଏହାପରେ ସୁପ୍ରିମକୋର୍ଟ ନୋଏଡା ଅଥୋରିଟି ଆବେଦନ ଅନୁସାରେ ବିଲଡିଂ ଭାଙ୍ଗିବା କାମକୁ ଅଗଷ୍ଟ ୨୮ ଯାଏ ଘୁଞ୍ଚାଇ ଦେଇଛନ୍ତି।

ପ୍ରକୃତରେ ଏହି ଟାୱାର୍ସକୁ ଅଗଷ୍ଟ ୨୧ ତାରିଖ ଦିନ ୨.୩୦ରେ ଭାଙ୍ଗିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା। ତେବେ ନୋଏଡା ଅଥୋରିଟି ଅଗଷ୍ଟ ୨୮ ଯାଏ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲା। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିଛନ୍ତି। ଏଥିସହ କାଳେ ବିଲଡିଂ ଭଙ୍ଗା ଯିବା ବେଳେ କୌଣସି ବୈଷୟିକ ତ୍ରୁଟି କିମ୍ବା ତା’ ସହ ଜଡ଼ିତ ସମସ୍ୟା ସୃଷ୍ଟି ହେବ, ସେଥିପାଇଁ ସୁପ୍ରିମକୋର୍ଟ ୭ ଦିନର ବଫର ସମୟ ଦେଇଛନ୍ତି। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୪ ଯାଏ ଏହି ବିଫର ସମୟ ରହିଛି। ଏହାର ଅର୍ଥ ସେପ୍ଟେମ୍ବର ୪ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିଲଡିଂ ଭଙ୍ଗା କାମ ସରିବ।

ଉତ୍ତର ପ୍ରଦେଶ ଅନ୍ତର୍ଗତ ନୋଏଡାର ୯୩ବି ସେକ୍ଟେରରେ ଏହି ଟୁଇନ ଟାୱାର୍ସ ରହିଛି। ଏହି ବେଆଇନ ବିଲଡିଂର ଉଚ୍ଚତା ପ୍ରାୟ ୧୦୦ ମିଟର। ଏହାକୁ ଭାଙ୍ଗିବା ପାଇଁ ୩,୫୦୦ କେଜିର ବିସ୍ଫୋରକ ବ୍ୟବହାର କରାଯିବ। ବିସ୍ଫୋରକକୁ ଖଞ୍ଜିବା ପାଇଁ ଏହାର ପିଲର ଗୁଡ଼ିକରେ ୯,୪୦୦ ଗାତ କରାଯାଇଛି।

ଗତବର୍ଷ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ୪୦ ମହଲା ବିଶିଷ୍ଟ ଟୁଇନ ଟାୱାର୍ସକୁ ଭାଙ୍ଗିବା ପାଇଁ କହିଥିଲେ। ନିର୍ମାଣ ଆଇନକୁ ଉଲ୍ଲଙ୍ଘନ କରି ବିଲଡିଂ ତିଆରି କରାଯାଇଥିଲା। ଏହି ଟାୱାର୍ସରେ ୯୦୦ରୁ ଅଧିକ ଫ୍ଲାଟ ଓ ୨୧ଟି ଦୋକାନ ରହିଛି। ହେଲେ ୨୮ ତାରିଖରେ ସବୁ କିଛି ମାଟିରେ ମିଶିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।