ଧର୍ମଘଟକୁ ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ, ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ଦେଲେ ଏମିତି ବୟାନ

ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡ଼ିକର ଘରୋଇକରଣ କରିବାକୁ କେନ୍ଦ୍ର ସରକାର କରୁଥିବା ଯୋଜନା ବିରୋଧରେ ଗତକାଲିଠାରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ କରାଯାଉଛି। ସମଗ୍ର ଦେଶରେ ଏଥିଯୋଗୁ ବ୍ୟାଙ୍କ କାରବାର ଠପ ହୋଇଯାଇଛି। ଏହି ଧର୍ମଘଟକୁ ନେଇ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ ଦେଶରୁ ସବୁ ବ୍ୟାଙ୍କକୁ କେବେ ହେଲେ ଘରୋଇକରଣ କରାଯିବ ନାହିଁ। ଘରୋଇକରଣ ଯେବେ ବି ହେବ ସେତେବେଳେ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଘରୋଇକରଣର ବାବଦରେ ଦୀର୍ଘଦିନ ଧରି ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯାଇଛି। ଆମେ ବ୍ୟାଙ୍କ ଗୁଡ଼ିକ ଅଧିକ ଇକ୍ୱିଟି ପାଉନ୍ତୁ ବୋଲି ଚାହୁଁଛୁ। ଆମେ ବ୍ୟାଙ୍କ ଗୁଡ଼ିକ ଦେଶର ଆବଶ୍ୟକ ଓ ଲକ୍ଷ୍ୟକୁ ପୂରଣ କରନ୍ତୁ ବୋଲି ଚାହୁଁଛୁ।

ଯେଉଁସବୁ ବ୍ୟାଙ୍କ ଗୁଡ଼ିକ ଘରୋଇକରଣ ହେବ, ସେଠାରେ କାମ କରୁଥିବା ସବୁ ସଦସ୍ୟଙ୍କ ସ୍ୱାର୍ଥ ସବୁଠାରୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ। ଯେକୌଣସି ପରିସ୍ଥିତିରେ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ। ପବ୍ଲିକ ସେକ୍ଟର ଏଣ୍ଟ୍ରପ୍ରାଇଜ ପଲିସିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ କାମ ଜାରି ରଖିବୁ। କର୍ମଚାରୀଙ୍କ ସ୍ୱାର୍ଥକୁ ସବୁବେଳେ ସୁରକ୍ଷା ମିଳିବ ବୋଲି ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

ଦେଶରେ ଶନିବାରଠାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଛି। ଶନିବାର ଦ୍ୱିତୀୟ ଶନିବାର ଥିବା ବେଳେ ରବିବାର ଛୁଟି ଦିନ ଥିଲା। ସେହିପରି ସୋମବାର ଓ ମଙ୍ଗଳବାର ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିଛି।

ଆସନ୍ତାକାଲି ଠାରୁ ବ୍ୟାଙ୍କ ଗୁଡ଼ିକ ପୂର୍ବଭଳି କାର୍ଯ୍ୟକ୍ଷମ ହେବ। ସରକାର ବ୍ୟାଙ୍କ ଗୁଡ଼ିକ ଘରୋଇକରଣ କରିବାକୁ ଚାହୁଁଥିବାରୁ ଏହାର କର୍ମଚାରୀମାନେ ଚାକିରି ହରାଇବା ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନେ ଧର୍ମଘଟ ଡାକରା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।