ବିଧାୟକ ଓ ସାଂସଦଙ୍କୁ ମିଳୁଛି ମେଞ୍ଚେ, ସରକାରୀ କର୍ମଚାରୀଙ୍କୁ ପଚାରେ କିଏ?

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଡାଏରୀ ବିଭାଗରେ ଦୀର୍ଘ ୩୫ ବର୍ଷ ଧରି କାମ କରିଥିବା ସୁରେନ୍ଦ୍ର କୁମାରଙ୍କ ବୟସ ଏବେ ୬୮। ସେ ଅବସର ଗ୍ରହଣ କରିବା ପରେ ଏବେ ମାସିକ ପେନସନ ବାବଦରେ ମାତ୍ର ୨,୨୩୪ ଟଙ୍କା ପାଉଛନ୍ତି। ଏହି ଟଙ୍କାରେ ନିଜର ଆବଶ୍ୟକତା ମେଣ୍ଟାଇବା ତାଙ୍କ ପାଇଁ କଷ୍ଟକର।

କିନ୍ତୁ ମଧ୍ୟପ୍ରଦେଶରେ ଯିଏ ଦିନକ ପାଇଁ ବି ବିଧାୟକ ହୋଇଯାଉଛନ୍ତି, ସେମାନଙ୍କୁ ସାରା ଜୀବନ ମାସିକ ୨୦ ହଜାର ଟଙ୍କାର ପେନସନ ମିଳୁଛି। ଏହା ବାଦ ଅତିରିକ୍ତ ଭାବେ ମେଡିକାଲ ଓ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। ତେଣୁ ସାଧାରଣ ସରକାରୀ କର୍ମଚାରୀ ଓ ବିଧାୟକ ଏବଂ ସାଂସଦଙ୍କ ପେନସେନ କ୍ଷେତ୍ରରେ ଥିବା ଅସମାନତା ଏବେ ପୁଣି ଚର୍ଚ୍ଚାକୁ ଆସିଛି।

ସମଗ୍ର ଦେଶରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି। ଏହାଦ୍ୱାରା ଅବସର ପରେ ସେମାନେ ନିଜର ଆୟକୁ ସୁନିଶ୍ଚିତ କରିପାରିବେ ବୋଲି କହିଛନ୍ତି। ସରକାର ଏମାନଙ୍କ କଥା ଶୁଣୁ ନଥିବା ବେଳେ ବିଧାୟକ ଓ ସାଂସଦମାନଙ୍କ ପେନସେନ କ୍ଷେତ୍ରରେ ବେଶ ସିରିୟସ ରହିଛନ୍ତି।

୨୦୨୨ ମାର୍ଚ୍ଚ ୩ ତାରିଖରେ ସୂଚନା ଅଧିକାର ଆଇନ ବଳରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୧-୨୨ରେ କେନ୍ଦ୍ର ସରକାର ୨,୬୭୯ ଜଣ ପୂର୍ବତନ ସାଂସଦଙ୍କ ବାବଦରେ ୯୯ କୋଟି ଟଙ୍କା ପେନସେନ ଆକାରରେ ଖର୍ଚ୍ଚ କରିଛନ୍ତି। ଏହି ପୂର୍ବତନ ସାଂସଦଙ୍କ ମଧ୍ୟରେ ଅନେକ ଫିଲ୍ମ ଷ୍ଟାର, ଶିଳ୍ପପତି ଓ ବଡ଼ବଡ଼ିଆ ବ୍ୟକ୍ତିବିଶେଷ ରହିଛନ୍ତି। ସେମାନଙ୍କୁ ଟିକସଦାତାଙ୍କ ଅର୍ଥରୁ ପେନସନ ଦିଆଯାଉଛି। ସେମାନେ ମଧ୍ୟ ଏହାକୁ ଗ୍ରହଣ କରି ବେଶ ଆରାମରେ ଜୀବନ ବିତାଉଛନ୍ତି।

ସରକାରୀ ନିୟମ ଅନୁଯାୟୀ, ଜଣେ ପୂର୍ବତନ ସାଂସଦଙ୍କୁ ମାସିକ ପେନସନ ଆକାରରେ ୨୫ ହଜାର ଟଙ୍କା ଦିଆଯାଉଛି। ଏହାବାଦ ଅତରିକ୍ତ ଭତ୍ତା ଓ ମେଡିକାଲ ସୁବିଧା ମଧ୍ୟ ସେମାନଙ୍କୁ ଦିଆଯାଇ ଥାଏ। ଯଦି ଜଣେ ଦିନକ ପାଇଁ ବି ସାଂସଦ କିମ୍ବା ବିଧାୟକ ହେଉଛନ୍ତି, ସେ ସାରା ଜୀବନ ପାଇଁ ପେନସନ ପାଇବାକୁ ଯୋଗ୍ୟତା ଅର୍ଜନ କରୁଛନ୍ତି। ସେମାନଙ୍କ ଦେହାନ୍ତ ହେଲେ ବି ପରିବାର ଲୋକ ମଧ୍ୟ କିଛି ସୁବିଧା ସୁଯୋଗ ପାଉଛନ୍ତି। ଏହାବାଦ ଯେଉଁମାନେ ଉଭୟ ବିଧାୟକ ଓ ସାଂସଦ ହେଉଛନ୍ତି, ସେମାନେ ଦୁଇଟି ପେନସନ ପାଉଛନ୍ତି।

ମହାମାରୀ କରୋନା ସମୟରେ ଯେତେବେଳେ ଗରିବ ଓ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା ସେତେବେଳେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ହେଲେ କୌଣସି ଗଣମାଧ୍ୟମ ଏହାକୁ ପ୍ରମୁଖ ଖବର ଭାବେ ପ୍ରକାଶ କରି ନଥିଲେ। ଭାରତୀୟମାନେ ସହିବାରେ ବେଶ ମାହିର। ସେମାନଙ୍କ ସହ ଅନେକ କିଛି ଘଟୁଥିଲେ ମଧ୍ୟ ସମସ୍ତେ ଆଡଜଷ୍ଟ କରିବା ଶିଖି ଗଲେଣି। ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ସାଂପ୍ରଦାୟିକ ହିଂସା ବଢ଼ୁଥିଲେ ବି ଦେଶବାସୀ ଚୁପ ରହିଛନ୍ତି।

ପୂର୍ବତନ ସାଂସଦଙ୍କ ପେନସନ ସମ୍ପର୍କରେ ଆରଟିଆଇ ଆଇନ ଅନୁସାରେ ଆବେଦନ କରିଥିବା ଚନ୍ଦ୍ରଶେଖର ଗଉର କହିଛନ୍ତି, “ସରକାରର ଲୋକଙ୍କୁ ଗ୍ୟାସ ସବସିଡି ଛାଡ଼ କରିବାକୁ ଆହ୍ୱାନ ଦେଉଛନ୍ତି। କିନ୍ତୁ ବିଧାୟକରୁ ସାଂସଦ ହେଉଥିବା ନେତାମାନେ ସେମାନଙ୍କର ଗୋଟିଏ ବି ପେନସନ ଛାଡ଼ୁ ନାହାନ୍ତି। ରେଳବାଇ ବରିଷ୍ଠ ନାଗରିକଙ୍କୁ ଦେଉଥିବା ରିହାତି ପ୍ରତ୍ୟାହାର କରିଛି। ହେଲେ ସାଂସଦମାନେ ମାଗଣାରେ ଫାଷ୍ଟକ୍ଲାସ ଏସିରେ ଯାଉଛନ୍ତି।” ରାଜନେତାମାନଙ୍କୁ ଏ ସମ୍ପର୍କରେ ପଚାରିଲେ, ସେମାନେ କେବଳ ଚୁପ ବସୁଛନ୍ତି।

ମଧ୍ୟପ୍ରଦେଶରେ ୬୦୦ ଜଣ ପୂର୍ବତନ ବିଧାୟକ ମାସିକ ୨୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଛନ୍ତି। ରାଜ୍ୟର ବାଚସ୍ପତି ଗିରୀଶ ଗୌତମ କହିଛନ୍ତି, “ବିଧାନସଭାର ଯେଉଁ ସଦସ୍ୟଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ସେମାନେ ପେନସନ ଛାଡ଼ି ଦେବାକଥା। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ପେନସନ ଉପରେ ହିଁ ନିର୍ଭରଶୀଳ।”

ବିଜେପି ସାଂସଦ ଧଲ ସିଂହ ବିସେନ କହିଛନ୍ତି, “ଆମେ ୪୦ରୁ ୫୦ ବର୍ଷ ରାଜନୀତି କ୍ଷେତ୍ରରେ ରହିଛୁ। ଯଦି ଜଣେ ଦୁଇଟି ଗୃହରୁ ପେନସନ ପାଉଛନ୍ତି, ତା’ହେଲେ ଏଥିରେ ଭୁଲ କ’ଣ?”

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଜଣେ ପୂର୍ବତନ ବିଧାୟକ କିମ୍ବା ସାଂସଦ ପୁଣି ଥରେ ମନ୍ତ୍ରୀ ହେଉଛନ୍ତି, ତା’ହେଲେ ସେ ପୂର୍ବଭଳି ପେନସନ ପାଇବେ ଓ ମନ୍ତ୍ରୀ ଭାବେ ଦରମା ମଧ୍ୟ ପାଇବେ। ସେହିପରି ଯଦି ଜଣେ ବିଧାୟକ ପରବର୍ତ୍ତୀ ଅବସ୍ଥାରେ ସାଂସଦ ହେଉଛନ୍ତି, ତା’ହେଲେ ଉଭୟ ବିଧାନସଭା ଓ ସଂସଦରୁ ପେନସନ ପାଇବେ। ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ପେନସନର ଅଧା ଅର୍ଥ ମିଳିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।