ଓଡ଼ିଶା ଆସୁଥିବା ୪ ମହିଳାଙ୍କୁ ଟ୍ରେନ୍‌ରୁ ଓହ୍ଲାଇଦେଲେ ଏବିଭିପି ସଭ୍ୟ, ଶାହ ଦେଲେ ଏମିତି ପ୍ରତିଶ୍ରୁତି

ଲକ୍ଷ୍ନୌ: କେରଳର ୨ ଜଣ ନନ୍‌ ଓ ତାଙ୍କର ୨ ସହଯୋଗୀଙ୍କୁ ଜୋରଜବରଦସ୍ତି ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇ ଦେଇଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ସଦସ୍ୟ। ନନ୍‌ଙ୍କ ଦୁଇ ସହଯୋଗୀ ଓଡ଼ିଶାର ରାଉରକେଲାର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଦିଲ୍ଲୀରୁ ଓଡ଼ିଶାର ରାଉରକେଲା ଉତ୍କଳ ଏକ୍ସପ୍ରେସରେ ଆସୁଥିଲେ।

୨ ଜଣ ନନ୍‌ ଧର୍ମାନ୍ତୀକରଣରେ ସାମିଲ ଥିବା ଅଭିଯୋଗ କରି ଏବିଭିପିର ସଦସ୍ୟମାନେ ଏପରି କରିଛନ୍ତି। ଏବିଭିପି ପକ୍ଷରୁ ସମସ୍ତ ୪ ମହିଳା‌ଙ୍କୁ ଉତ୍ତର ପ୍ରଦେଶର ଝାନସୀ ଠାରେ ଟ୍ରେନ୍‌ରୁ ଓହ୍ଲାଇ ଦିଆଯିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

ତେବେ ରେଳ ଷ୍ଟେସନରେ ପୁଲିସ୍‌ ଘଟଣାର ଯାଞ୍ଚ କରି ନନ୍‌ମାନେ କୌଣସି ପ୍ରକାରର ଧର୍ମାନ୍ତରୀକରଣରେ ସାମିଲ ନଥିବା ଜାଣିବାକୁ ପାଇଥିଲେ। ଏହାପରେ ସମସ୍ତ ନନ୍‌ ଟ୍ରେନ୍‌ରେ ବସି ନିଜର ଗନ୍ତବ୍ୟ ସ୍ଥଳ ରାଉରକେଲାକୁ ଯାଇଥିଲେ। ଏହି ଘଟଣାକୁ ନେଇ କେରଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଶ୍ରୀ ଶାହ ମଧ୍ୟ ଅଭିଯୁକ୍ତ ଏବିଭିପି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଝାନସୀରେ ନନ୍‌ମାନଙ୍କୁ ହଇରାଣ କରିଥିବା ଘଟଣାରେ ସାମିଲ ଥିବା ଲୋକଙ୍କୁ ନିଶ୍ଚିତ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ।

ଶୁକ୍ରବାର ଝାନସୀରେ ଘଟିଥିବା ଘଟଣାକୁ ନେଇ ବିଜୟନ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ “ଏଭଳି ଘଟଣା ଦେଶର ଭାବମୂର୍ତ୍ତି ତଥା ଏହାର ଧାର୍ମିକ ସହନଶୀଳତାକୁ କ୍ଷୁଣ୍ଣ କରୁଛି। କେନ୍ଦ୍ର ସରକାର ଏଭଳି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ଉଚିତ। ମୁଁ ଅନୁରୋଧ କରୁଛି ଯେ ଆପଣ(ସ୍ୱରାଷ୍ଟ୍ର ମନ୍ତ୍ରୀ) ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିବା ଗ୍ରୁପ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ସମ୍ବିଧାନ ଆମକୁ ସବୁଆଡ଼େ ମୁକ୍ତ ଓ ଅବଧା ଭ୍ରମଣ ପାଇଁ ଅଧିକାର ଦେଇଛି। ସେହିପରି ଆମେ ନିଜ ଇଚ୍ଛାରେ ପୋଷାକ ମଧ୍ୟ ପରିଧାନ କରିପାରିବା। ଶୁକ୍ରବାର ଯାହା ଘଟିଲା, ତାହା ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକଙ୍କୁ ବହୁତ ଆଘାତ ଦେଇଛି। ଏହା ମୌଳିକ ଅଧିକାରର ଉଲ୍ଲଙ୍ଘନ। ସେମାନଙ୍କୁ ଜୋରଜବରଦସ୍ତ ପୋଷାକ ବଦଳାଇବାକୁ କୁହାଯାଇଥିଲା। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଫାଦର ଜ୍ୟାକୋବ କହିଛନ୍ତି।

ନନ୍‌ମାନେ ମାର୍ଚ୍ଚ ୧୯ରେ ହରିଦ୍ୱାର-ପୁରୀ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ସାମ୍ନାକୁ ଆସିଥିବା ୨୫ ସେକେଣ୍ଡର ଭିଡିଓରେ ଟ୍ରେନ୍‌ର ଗୋଟିଏ କୋଚ୍‌ରେ ନନ୍‌ମାନଙ୍କୁ କିଛି ଲୋକ ଘେରି ରହିଛନ୍ତି। ଘେରି ରହିଥିବା ଲୋକଙ୍କ ମଧ୍ୟରେ କିଛି ପୁଲିସ୍‌ ମଧ୍ୟ ରହିଥିବା ଦେଖିବାକୁ ମିଳିଛି।

ରେଳବାଇ ପୁଲିସ୍ ପକ୍ଷରୁ କୁହାଯାଇଛି, ଏବିଭିପିର କିଛି ସଦସ୍ୟ ଋଷିକେଶରେ ଆୟୋଜିତ ଟ୍ରେନିଂ କ୍ୟ୍ୟାମ୍ପରୁ ଝାନସୀ ଆସୁଥିଲେ। ଏହି ଉତ୍କଳ ଏକ୍ସପ୍ରେସରେ ୪ ଜଣ ଖ୍ରୀଷ୍ଟିଆନ ମହିଳା ହଜରତ ନିଜାମୁଦ୍ଦିନରୁ ଓଡ଼ିଶାର ରାଉରକେଲା ଫେରୁଥିଲେ। ଏହି ୪ ଖ୍ରୀଷ୍ଟିଆନ ମହିଳାଙ୍କ ମଧ୍ୟରେ ୨ ଜଣ ନନ୍‌ ଓ ୨ ଜଣ ନନ୍‌ ପାଇଁ ଟ୍ରେନିଂ ନେଉଥିବା ମହିଳା ଥିଲେ। ୨ ଜଣ ନନ୍‌ ଓଡ଼ିଶାର ଦୁଇ ମହିଳାଙ୍କୁ ଧର୍ମାନ୍ତୀକରଣ କରିବାକୁ ଚାହୁଁଥିବା ସେମାନେ ସନ୍ଦେହ କରିଥିଲେ।

କାରଣ ନନ୍‌ ପୋଷାକରେ ଥିବା ଦୁଇ ମହିଳା ଅନ୍ୟ ଦୁଇ ମହିଳାଙ୍କ ସହ କଥା ହେଉଥିବାରୁ ଏବିଭିପି ସଦସ୍ୟଙ୍କ ସନ୍ଦେହ ବଢ଼ିଥିଲା। ଏ ସମ୍ପର୍କରେ ସେମାନେ ଆରପିଏଫ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ଆରପିଏଫ ପକ୍ଷରୁ ଜିଆରପିକୁ ସୂଚନା ଦିଆଯାଇଥିଲା। ଏବିଭିପି ସଦସ୍ୟମାନେ ଏଫଆଇଆର ମଧ୍ୟ ଦେଇଥିଲେ।

ଟ୍ରେନ ଝାନସୀରେ ପହଞ୍ଚିବା ପରେ ଏବିଭିପିର ସଦସ୍ୟମାନେ ସମସ୍ତ ୪ ଖ୍ରୀଷ୍ଟିଆନ ମହିଳାଙ୍କୁ ଜୋରଜବରଦସ୍ତି ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲେ। ରେଳବାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ୨ ଜଣ ଯାକ ନନ୍‌ କଥା ହେଉଥିବା ଦୁଇ ମହିଳା ହେଉଛନ୍ତି ଓଡ଼ିଶାର ରାଉରକେଲା ଅଞ୍ଚଳର। ସେମାନେ ନନ୍‌ ବନିବାକୁ ଦିଲ୍ଲୀରେ ଟ୍ରେନିଂ ନେବାକୁ ଯାଇଥିଲେ। ରେଳବାଇ ପୁଲିସ୍‌ ସେମାନଙ୍କ ସାର୍ଟିଫିକେଟ୍‌ ଚେକ୍‌ କରିଥିଲା।

ଓଡ଼ିଶାର ଦୁଇ ମହିଳା ଜନ୍ମରୁ ଖ୍ରୀଷ୍ଟିଆନ ବୋଲି ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ୪ ଜଣ ଯାକ ମହିଳା ସେମାନଙ୍କ ଗନ୍ତବ୍ୟ ସ୍ଥଳ ଓଡ଼ିଶା ଅଭିମୁଖେ ଯିବାକୁ ଅନୁମତି ପାଇଥିଲେ।

ଅନ୍ୟପକ୍ଷରେ ମହିଳାମାନଙ୍କୁ ଏପରି ହଇରାଣ କରିଥିବା ଏବିଭିପି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ, ସେକଥା ଜଣାପଡ଼ିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।