ପୂରଣ ହେବ ଦଳିତ ଓଡ଼ିଆ ରାପରଙ୍କ ଅକ୍ସଫୋର୍ଡ ସ୍ୱପ୍ନ, ୩ ଘଣ୍ଟାରେ ଯୋଗାଡ଼ କଲେ ୩୭ ଲକ୍ଷ

ଭୁବନେଶ୍ୱର: ଇଚ୍ଛା ଥିଲେ ନିଜର ଲକ୍ଷ୍ୟ ସ୍ଥଳରେ ଜଣେ ନିଶ୍ଚିତ ପହଞ୍ଚିବେ। ଇଚ୍ଛାଶକ୍ତି ଆଗ‌ରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାର ମାନିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ୨୭ ବର୍ଷୀୟ ଜଣେ ଓଡ଼ିଆ ଯୁବକ ସୁମିତ ତୁରୁକ୍‌। ଦଳିତ ପରିବାରରୁ ଆସିଥିଲେ ହେଁ ସେ ସାମାଜିକ ଗଣମାଧ୍ୟମ ସହାୟତାରେ ବଦାନ୍ୟ ବ୍ୟକ୍ତିଙ୍କ ଦାନରୁ ଅକ୍ସଫୋର୍ଡ ଭଳି ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାମର୍ଥ୍ୟ ଅର୍ଜନ କରିଛନ୍ତି। ନିଜ ଅକ୍ସଫୋର୍ଡ ସ୍ୱପ୍ନ ପୂରଣ କରିବାକୁ ଏହି […]

Sumit-Turuk

Sumit-Turuk

Hemant Lenka
  • Published: Saturday, 05 June 2021
  • Updated: 05 June 2021, 04:08 PM IST

Sports

Latest News

ଭୁବନେଶ୍ୱର: ଇଚ୍ଛା ଥିଲେ ନିଜର ଲକ୍ଷ୍ୟ ସ୍ଥଳରେ ଜଣେ ନିଶ୍ଚିତ ପହଞ୍ଚିବେ। ଇଚ୍ଛାଶକ୍ତି ଆଗ‌ରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାର ମାନିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ୨୭ ବର୍ଷୀୟ ଜଣେ ଓଡ଼ିଆ ଯୁବକ ସୁମିତ ତୁରୁକ୍‌। ଦଳିତ ପରିବାରରୁ ଆସିଥିଲେ ହେଁ ସେ ସାମାଜିକ ଗଣମାଧ୍ୟମ ସହାୟତାରେ ବଦାନ୍ୟ ବ୍ୟକ୍ତିଙ୍କ ଦାନରୁ ଅକ୍ସଫୋର୍ଡ ଭଳି ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାମର୍ଥ୍ୟ ଅର୍ଜନ କରିଛନ୍ତି।

ନିଜ ଅକ୍ସଫୋର୍ଡ ସ୍ୱପ୍ନ ପୂରଣ କରିବାକୁ ଏହି ଓଡ଼ିଆ ରାପର ଜଣଙ୍କ ସୋଶାଲ ମିଡିଆରେ ସହଯୋଗ ପାଇଁ ନିବେଦନ କରିଥିଲେ। ଆବେଦନ କରିବାର ମାତ୍ର ୩ରୁ ୪ ଘଣ୍ଟା ମଧ୍ୟରେ ସେ ୩୭ ଲକ୍ଷ ଟଙ୍କାର ସହାୟତା ଲାଭ କରିଛନ୍ତି। ଅକ୍ସଫୋର୍ଡରେ ପଢ଼ିବା ପାଇଁ ଫି’ ବାବଦରେ ତାଙ୍କୁ ୨୮ଲକ୍ଷ ଟଙ୍କା ଦରକାର ଥିଲା।

ହେଲେ ସୋଶାଲ ମିଡିଆ ବ୍ୟବହାରକାରୀମାନେ ଅକ୍ସଫୋର୍ଡରେ ପାଠପଢ଼ିବା ବେଳେ ତାଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅଧିକ ୯ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋଶାଲ ମିଡିଆରୁ ସୁମିତ ମୋଟ ୩୭ଲକ୍ଷ ୩୩ ହଜାର ୧୫୫ ଟଙ୍କା ଯୋଗାଡ଼ କରିପାରିଛନ୍ତି।

କୋରାପୁଟ ଜିଲ୍ଲାର ନକ୍ସଲ ପ୍ରବଣ ନାରାୟଣପାଟଣା ବ୍ଲକ‌ର ସୁମିତ ତୁରୁକ ଜଣେ ମେଧାବୀ ଛାତ୍ର। ସେ ଜଣେ ରାପର୍‌ ଓ ଜାତିବାଦ ବିରୋଧୀ କର୍ମୀ। ତାଙ୍କ ରାପ୍‌-ଗୀତଗୁଡ଼ିକ ମୁଖ୍ୟତଃ ସମାଜରେ ଚାଲିଥିବା ଜାତିବାଦ ବିରୋଧରେ ରହିଥାଏ। ସେ ଓଡ଼ିଆ ଓ ହିନ୍ଦୀରେ ରାପ୍‌-ଗୀତ ପରିବେଷଣ କରନ୍ତି।

ଦିଲ୍ଲୀର ଜେଏନୟୁରେ ପାଠପଢ଼ୁଥିବା ବେଳେ ସୁମିତଙ୍କୁ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ‌ର ସେଣ୍ଟ ଆନ୍ଥୋନୀ କଲେଜ ପକ୍ଷରୁ ‘ମଡର୍ଣ୍ଣ ସାଉଥ୍‌ ଏସିଆନ୍‌ ଷ୍ଟିଡିଜ୍‌’ରେ ଏମଏସସି ପ୍ରୋଗ୍ରାମ କରିବାକୁ ସୁଯୋଗ ମିଳିଥିଲା। ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ତାଙ୍କୁ ପ୍ରାୟ ୨୮ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା।

ସୁମିତଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବାରୁ ସେ ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନଥିଲା। ତେଣୁ ସୁମିତ ସୋଶାଲ ମିଡିଆରେ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସେ ଟ୍ୱିଟର୍‌ରେ #SumitToOxford ନାମରେ ଏକ ଅଭିଯାନ ଚଳାଇ ନିଜ ପାଠପଢ଼ା ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଥିଲେ।

ସେ କହିଥିଲେ ଯେ “ମୋତେ ମିଳିଥିବା ସୁଯୋଗର ଲାଭ ଉଠାଇବା ପାଇଁ ମୋ ପାଖରେ କୌଣସି ଆର୍ଥିକ ବିକଳ୍ପ ନଥିବାରୁ ମୁଁ ଆପଣମାନଙ୍କ ସହଯୋଗ ଲୋଡ଼ିଛି। ମୋ ପାଠ୍ୟକ୍ରମର ମୋଟ ଫି’, କଲେଜ କମ୍ୟୁନିଟି ଚାର୍ଜ ଓ କଲେଜ ଡିପୋଜିଟ୍‌ ବାବଦରେ ମୋଟ ୨୭,୨୩,୪୮୦ ଟଙ୍କା ଦରକାର। ଜୁନ୍‌ ୩୦ ସୁଦ୍ଧା ଏହି ଅର୍ଥ ଦେବାକୁ ପଡ଼ିବ।”

ବାସ୍‌ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଥିଲା। ବାସ୍‌ ୩ରୁ ୪ ଘଣ୍ଟା ମଧ୍ୟରେ ସେ ମୋଟ ୩୭ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ତାଙ୍କୁ ସହଯୋଗ କରିବା ପାଇଁ ଅନେକ ଲୋକ ମଧ୍ୟ ରି-ଟ୍ୱିଟ କରିଥିଲା। ଆର୍ଥିକ ସହାୟତା ମିଳିଥିବାରୁ ସୁମିତ ଟ୍ୱିଟ୍‌ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁମିତଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ମା’ ହେଉଛନ୍ତି ଏଏନ୍‌ଏମ କର୍ମୀ। ଉଭୟ କୋରାପୁଟରେ କାମ କରନ୍ତି।

ସୁମିତଙ୍କ ଏମଏସ୍‌ସି ପ୍ରୋଗ୍ରାମ ଗୋଟିଏ ୧୨ ମାସିଆ ମାଷ୍ଟର ଡିଗ୍ରୀ କୋର୍ସ। ଅକ୍ସଫୋର୍ଡ ସ୍କୁଲ ଅଫ ଗ୍ଲୋବାଲ ଓ ଓରିଏଣ୍ଟେଲ ଷ୍ଟଡିଜ ପକ୍ଷରୁ ଏହି ଶିକ୍ଷା ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos