କରୋନାର ଦ୍ୱିତୀୟ ଲହରୀ ପଞ୍ଝାରେ ଓମାର ଅବଦୁଲ୍ଲା

ଶ୍ରୀନଗର: ଦେଶରେ କାୟା ବିସ୍ତାର କରିଥିବା କରୋନାର ଦ୍ୱିତୀୟ ଲହରୀ ପଞ୍ଝାରେ ପଡ଼ିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ବର୍ଷେ କାଳେ ଏହି ଭୟଙ୍କର ଭାଇରସକୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥିଲେ ହେଁ ଶେଷରେ ଏଥିରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଲକ୍ଷଣହୀନ ରହିଛନ୍ତି ଓ ଘରେ ହୋମ ଆଇସୋଲେସନରେ ଥିବା କହିଛନ୍ତି। ଗତ ମାସରେ ତାଙ୍କ ବାପା ତଥା ନ୍ୟାଶନାଲ କନଫରେନ୍ସର ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ବି ତାଙ୍କ ଚିକିତ୍ସା ଶ୍ରୀନଗର ସ୍ଥିତ ହସ୍ପିଟାଲରେ ଚାଲିଛି।


ଓମାର ଅବଦୁଲ୍ଲା ଟ୍ୱିଟ କରି କହିଛନ୍ତି, “ଦୀର୍ଘ ଗୋଟିଏ ବର୍ଷ ହେଲାଣି ଏହି ଭାଇରସକୁ ଦୂରେଇ ରଖିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିଥିଲି। କିନ୍ତୁ ଶେଷରେ ଏହା ମୋତେ ସଂକ୍ରମିତ କରିଛି। ଆଜି ମଧ୍ୟାହ୍ନରେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ସଂପୂର୍ଣ୍ଣ ଲକ୍ଷଣହୀନ ରହିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଘରେ ସଂଗରୋଧରେ ରହିଛି। ଏଥିସହ ମୋ ଅମ୍ଳଜାନ ସ୍ତରକୁ ନିୟମିତ ଚେକ୍‌ କରୁଛି।”

ଗୁରୁବାର ତାଙ୍କ ବାପା ଫାରୁକ କରୋନାର ସୁସ୍ଥ ହେଉଥିବା ଓମାର ଟ୍ୱିଟ କରି ସୂଚନା ଦେଇଥିଲେ। ଲୋକମାନେ ଫାରୁକଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ସେ ଓମାରଙ୍କ ଜରିଆରେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ହେଲେ ଆଜି ନିଜେ ଓମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।