ଓମିକ୍ରନକୁ ନେଇ ଡାକ୍ତରମାନେ ଦେଲେ ଭଲ ଖବର

ଜୟପୁର: ଭାରତ ସମେତ ବିଶ୍ୱରେ ଆତଙ୍କ ଖେଳାଇ ଥିବା ଓମିକ୍ରନ ଭାରିଏଣ୍ଟନ ସମ୍ପର୍କରେ ଆଶ୍ୱସ୍ତ କରିବା ଭଳି ଖବର ଦେଇଛନ୍ତି ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର। ରାଜସ୍ଥାନରେ ୯ ଜଣ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ସୱାଇ ମାନ ସିଂହ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ କରୋନା ଲକ୍ଷଣ ଓ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବା ଡାକ୍ତରମାନେ ବଡ଼ ବୟାନ ଦେଇଛନ୍ତି।

ସେମାନେ କହିଛନ୍ତି ଯେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶରୀରରେ ଖବୁ କମ ମାତ୍ରାରେ ଲକ୍ଷଣ ଦେଖାଦେଇଛି। ସେହିପରି ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଜଟିଳ ସମସ୍ୟା ସୃଷ୍ଟି ହେଉନି। ଡେଲ୍ଟା ତୁଳନାରେ ଓମିକ୍ରନ ଲକ୍ଷଣ ପୂରା ଭିନ୍ନ। ଡେଲ୍ଟା ଅପେକ୍ଷା ଓମିକ୍ରନ ଜଣଙ୍କୁ ଗୁରୁତର କରିବାର ଆଶଙ୍କା ଯଥେଷ୍ଟ କମ ବୋଲି ଡାକ୍ତରମାନେ କହିଛନ୍ତି।

ମେଡିକାଲ କଲେଜର ପ୍ରିନ୍ସିପାଲ ତଥା କଣ୍ଟ୍ରୋଲର ଡା ସୁଧୀର ଭଣ୍ଡାରୀ କହିଛନ୍ତି, “ସମସ୍ତ ୯ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିଛି ଜଣଙ୍କର କୌଣସି ଲକ୍ଷଣ ନଥିବା ବେଳେ ଆଉ କିଛି ଜଣଙ୍କ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖାଯାଉଛି। ସେମାନଙ୍କ ଶରୀରରେ କୌଣସି ଜଟିଳତା ଦେଖାଯାଇନି ଓ ସମସ୍ତେ ସୁସ୍ଥ ହେବା ଦିଗରେ ଅଛନ୍ତି।”

ଓମିକ୍ରନର ପ୍ରଭାବ ଜାଣିବା ପାଇଁ ଡାକ୍ତରମାନେ ଆକ୍ରାନ୍ତମାନଙ୍କର ଏଚଆରସିଟି, ଡି ଡାଇମର ଭଳି ଅନେକ ପ୍ରକାରର ଟେଷ୍ଟ କରିଥିଲେ। ହେଲେ କୌଣସି ଟେଷ୍ଟରୁ ଜଟିଳତା ସମ୍ପର୍କରେ କୌଣସି ସୂଚନା ମିଳିନି। ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ବେଳେ ଫୁସଫୁସ ପ୍ରଭାବିତ ହେଉଥିଲା। କିନ୍ତୁ ଏଯାଏ ଓମିକ୍ରନ ଦ୍ୱାରା ସେମିତି କିଛି ବି ଠାବ ହୋଇନି। କୌଣସି ଆକ୍ରାନ୍ତ ସ୍ୱାଦ କିମ୍ବା ସ୍ମେଲ ହରାଇ ନାହାନ୍ତି। ଡେଲ୍ଟାରେ ଆକ୍ରାନ୍ତ ହେବା ମାତ୍ରେ ସ୍ୱାଦ ଓ ଘ୍ରାଣ ଶକ୍ତି କମି ଯାଉଥିଲା। ଓମିକ୍ରାନ ଆକ୍ରାନ୍ତ ଶ୍ୱାସଜନିତ ସମସ୍ୟାରେ ବି ପଡ଼ୁ ନାହାନ୍ତି। ସେମାନଙ୍କୁ ଅକ୍ସିଜେନ ମଧ୍ୟ ଦେବାକୁ ପଡ଼ୁନି ବୋଲି ଡା ଭଣ୍ଡାରୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ଦକ୍ଷିଣ ଆଫ୍ରିକାରେ ଆକ୍ରାନ୍ତ ହେଉଥିବା ପ୍ରତି ୧ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୪.୯%ଙ୍କୁ ଆଇସିୟୁ ଦରକାର ପଡ଼ୁଛି। ଓମିକ୍ରାନରେ ଗୁରୁତର ହେବା ଆଶଙ୍କା କମ। କିନ୍ତୁ ଏହାର ସଂକ୍ରମଣ ହାର ବେଶ ଅଧିକ। ତଥାପି ଏହା ଉପରେ ଅଧିକ ଗବେଷଣା ଦରକାର।

ଯେଉଁମାନେ ଟିକାର ଡବଲ ଡୋଜ୍ ନେଇଛନ୍ତି, ସେମାନେ ଓମିକ୍ରନରେ ଆକ୍ରାନ୍ତ ହେଲେ ମଧ୍ୟ ମଧ୍ୟମ ଧରଣର ଲକ୍ଷଣ ଦେଖାଯିବ। ଆମ ସମସ୍ତଙ୍କୁ ଓମିକ୍ରନରୁ ରକ୍ଷା ପାଇବାକୁ ହେଲେ ଟିକା ସହ କୋଭିଡର ସବୁ ନିୟମ ପାଳନ କରିବାକୁ ହେବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।