ଭୁଶୁଡ଼ିଲା କବାଡି ଚାମ୍ପିୟନଶିପ୍‌ର ଷ୍ଟାଣ୍ଡ, ଚାପି ହୋଇଗଲେ ୧୦୦ରୁ ଅଧିକ ଲୋକ

ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଠାରେ ବଡ଼ ଅଘଟଣ ଘଟିଛି। ଏଠାରେ ଆୟୋଜିତ ୪୭ତମ ଜୁନିୟର ଜାତୀୟ କବାଡି ଚାମ୍ପିୟନଶିପ୍‌ର ଗୋଟିଏ ବଡ଼ ଷ୍ଟାଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ପ୍ରାୟ ୧୦୦ରୁ ଅଧିକ ଲୋକ ଚାପି ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏକାଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ସୂର୍ଯ୍ୟପେଟର ଏସପି ଅଫିସ ପଡ଼ିଆରେ ୪୭ମ ଜୁନିୟର ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଦେଖିବାକୁ ଶହଶହ ଲୋକ ଉପସ୍ଥିତ ରହିଥିଲେ।

ଏହି ସମୟରେ ହଠାତ୍ ପଡ଼ିଆରେ ଲାଗିଥିବା ଗୋଟିଏ ବିରାଟ ଷ୍ଟାଣ୍ଡ ସେମାନଙ୍କ ଉପରେ ଖସି ପଡ଼ିଥିଲା। ଏହି ଷ୍ଟାଣ୍ଡରେ ମଧ୍ୟ ଶତାଧିକ ଲୋକ ବସିଥିଲେ। ସମସ୍ତେ ଏହା ତଳେ ଚାପି ହୋଇଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଭୁଶୁଡ଼ିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।


ଉଦ୍ଧାରକାରୀ ଦଳ ଓ ପୁଲିସ୍‌ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଷ୍ଟାଣ୍ଡ ତଳେ ଫସିଥିବା ଲୋକଙ୍କୁ ବାହାର କରିଥିଲେ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି।

ଅନ୍ୟପକ୍ଷରେ ଏହି ଜାତୀୟ କବାଡି ପ୍ରତିଯୋଗିତାରେ ୨୯ଟି ରାଜ୍ୟର ପ୍ରାୟ ୧୫ଶହ ଖେଳାଳି ଭାଗ ନେଇଛନ୍ତି। ଏହା ଆଜିଠାରୁ ମାର୍ଚ୍ଚ ୨୫ ଯାଏ ଚାଳିବାର ଥିଲା। ପ୍ରଥମଥର ପାଇଁ ସିକ୍କିମ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।