ଗେହଲଟଙ୍କ ସହ ୧୦୦ ବିଧାୟକ ଥିବା ଦାବି କଲେ ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ

ଜୟପୁର: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ହଟଚମଟର ସାଇଡ ଇଫେକ୍ଟ ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ଏଠାରେ କ୍ଷମତାରେ ଥିବା କଂଗ୍ରେସର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରୁଛନ୍ତି।

ବିଶେଷ କରି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ କ୍ୟାମ୍ପ ଯେ କୌଣସି ସମୟରେ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାର ଆଶଙ୍କା ରହିଛି। ଯଦି ବିଦ୍ରୋହ ସୃଷ୍ଟି ହେବ, ତା’ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଭଳି ଗେହଲଟଙ୍କୁ ପଦ ହରାଇବାକୁ ପଡ଼ିପାରେ ବୋଲି କୁହାଯାଉଛି।

କିନ୍ତୁ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ୧୦୦ରୁ ଅଧିକ ବିଧାୟକ ରହିଥିବା ରାହୁଲ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ହରିଶ ଚୌଧୁରୀ ଦାବି କରିଛନ୍ତି। ରାଜସ୍ଥାନ ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ଶ୍ରୀ ଚୌଧୁରୀ କହିଛନ୍ତି, ପଞ୍ଜାବରେ ବିଧାୟକମାନେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିରୋଧ କରୁଥିଲେ। କିନ୍ତୁ ରାଜସ୍ଥାନରେ ୧୦୦ରୁ ଅଧିକ ବିଧାୟକ ଗେହଲଟଙ୍କ ସହ ରହିଛନ୍ତି। ତେଣୁ ରାଜସ୍ଥାନରେ ପଞ୍ଜାବ ଭଳି ସ୍ଥିତି ସୃଷ୍ଟି ହେବନି ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ବିଦା କରାଯିବା ପ୍ରଶ୍ନରେ ହରିଶ ଚୌଧୁରୀ କହିଛନ୍ତି, କଂଗ୍ରେସ କ୍ୟାପ୍ଟେନଙ୍କୁ ଅନେକ କିଛି ଦେଇଛି। ପଞ୍ଜାବର ବିଧାୟକମାନେ ନେତୃତ୍ୱ ପରିବର୍ତ୍ତନ ଚାହୁଁଥିଲେ। ପଞ୍ଜାବରେ ଗଣତାନ୍ତ୍ରିକ ଉପାୟରେ ପରିବର୍ତ୍ତନ ହୋଇଛି। କ୍ୟାପ୍ଟେନଙ୍କୁ କେହି ଅପମାନିତ କରି ନାହାନ୍ତି। ସେ ଅପମାନିତ କେମିତି ହେଲେ? ବିଧାୟକମାନେ ହିଁ ପରିବର୍ତ୍ତନର ଦାବି କରିଥିଲେ। କଂଗ୍ରେସରେ ସମସ୍ତଙ୍କୁ ମୁକ୍ତ ଭାବେ ସେମାନଙ୍କ ମତ ରଖିବାର ସୁଯୋଗ ରହିଛି। ସେ ପଞ୍ଜାବରେ ହୋଇଥିବା ପରିବର୍ତ୍ତନକୁ ଐତିହାସିକ ବୋଲି ବିବେଚନା କରିଛନ୍ତି।

ନିକଟରେ ସଚିନ ପାଇଲଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ଘଟଣାରେ ଶ୍ରୀ ଚୌଧୁରୀ କହିଛନ୍ତି, “ମୁଁ ଜାଣିନି ପାଇଲଟ କେତେଥର ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଛନ୍ତି। ସେ କଂଗ୍ରେସର ପରିବାରର ସଦସ୍ୟ। ତେଣୁ ସେ ନିଜ ଇଚ୍ଛାରେ କଂଗ୍ରେସ ନେତୃବୃନ୍ଦଙ୍କୁ ଭେଟି ପାରିବେ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।