୯୩୪୬ ଜଣ ପିଲାଙ୍କୁ ବେସାହାରା କରିଦେଇଛି ମହାମାରୀ କରୋନା ଭାଇରସ

ନୂଆଦିଲ୍ଲୀ: ମହାମାରୀ କରୋନା କାହାକୁ ଅନାଥ କରିଦେଇଛି ତ କାହାକୁ ସ୍ୱାମୀ କିମ୍ବା ସ୍ତ୍ରୀ ଛେଉଣ୍ଡ କରିଦେଇଛି। ଛୋଟ ପିଲାମାନେ କରୋନାର ଭୟାବହତା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୯,୩୪୬ ଜଣ ପିଲାଙ୍କୁ କରୋନା ମହାମାରୀ ସବୁଦିନ ପାଇଁ ବେସାହାର କରିଦେଇଛି। ଏମାନଙ୍କ ମଧ୍ୟରୁ କିଛି ଜଣ ସେମାନଙ୍କର ଉଭୟ ବାପା ମା’ଙ୍କୁ ହରାଇଥିବା ବେଳେ ଆଉ କିଛି ପିଲା ବାପା କିମ୍ବା ମା’ଙ୍କୁ ହରାଇଛନ୍ତି।

ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନସିପିସିଆର) ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଥିସହ ଏନସିପିସିଆର କହିଛି ଯେ ଅନଥା କିମ୍ବା ବାପା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାମାନଙ୍କ କଥା ବୁଝିବାକୁ ୬ ଥାକିଆ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।

ସତ୍ୟପାଠରେ ଥିବା ସୂଚନା ଅନୁଯାୟୀ, ନୂଆ କରି ତିଆରି ହୋଇଥିବା ବାଲ ସ୍ୱରାଜ ପୋର୍ଟାଲରେ ୯୩୪୬ ଜଣ ପିଲାଙ୍କ ତଥ୍ୟ ଅପଲୋଡ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୭୪୨ ଜଣ ପିଲା ସେମାନଙ୍କର ଉଭୟ ବାପା ମା’ଙ୍କୁ ହରାଇଛନ୍ତି। ସେହିପରି ୭୪୬୪ ଜଣ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ୧୪୦ ଜଣ ମାର୍ଚ୍ଚ ୨୦୨୦ରୁ ୨୦୨୧ ମେ’ ୨୯ ମଧ୍ୟରେ ସଂପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି।

ସମସ୍ତ ପିଲାଙ୍କ ମଧ୍ୟରୁ ୧୨୨୪ ଜଣ ସେମାନଙ୍କ ଅଭିଭାବକଙ୍କ ସହ ରହୁଥିବା ବେଳେ ୯୮୫ ଜଣ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଓ ସିଙ୍ଗଲ ପ୍ୟାରେଣ୍ଟଙ୍କ ସହ ୬୬୧୨ ଜଣ ରହୁଛନ୍ତି। ୩୧ ଜଣ ପିଲାଙ୍କୁ ସ୍ପେଶାଲ ଆଡପସନ ଏଜେନ୍ସିକୁ ପଠାଯାଇଛି।

ମଧ୍ୟପ୍ରଦେଶରେ ସର୍ବାଧିକ ଅନାଥ ଓ ଏକା ହୋଇଯାଇଥିବା ପିଲା ରହିଛନ୍ତି। ଏଠାରେ ଅନାଥ ପିଲାଙ୍କ ସଂଖ୍ୟା ୩୧୮ ଥିବା ବେଳେ ଏକା ହୋଇ ଯାଇଥିବା ପିଲାଙ୍କ ସଂଖ୍ୟା ୧୦୪ ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୮୦୩ ଜଣ ପିଲା ସେମାନଙ୍କ ବାପା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ବିହାରରେ ୨୯୨ ଜଣ ଅନାଥ ହୋଇ ଯାଇଥିବା ବେଳେ ୧୦୩୫ ଜଣ ସିଙ୍ଗଲ ପ୍ୟାରେଣ୍ଟ ଘରେ ରହୁଛନ୍ତି।

ବେସାହାରା ହୋଇଥିବା ପିଲାଙ୍କ ବୟସ ବିଷୟରେ ମଧ୍ୟ ସତ୍ୟପାଠରେ କୁହାଯାଇଛି। ୪ରୁ ୭ ବର୍ଷ ମଧ୍ୟରେ ୧୫୧୫ ଜଣ ପିଲା ଥିବା ବେଳେ ୮ରୁ ୧୩ ବର୍ଷରେ ୩୭୧୧, ୧୪ରୁ ୧୫ ବର୍ଷ ମଧ୍ୟରେ ୧୬୨୦ ଓ ୧୬ରୁ ୧୭ ବର୍ଷ ମଧ୍ୟରେ ୧୭୧୨ ଜଣ ପିଲା ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।