ପାକିସ୍ତାନର ଉଦ୍ୟମ ପଣ୍ଡ, ୪୦୦ କୋଟି ଟଙ୍କାର ହେରୋଇନ ଜବତ
ନୂଆଦିଲ୍ଲୀ: ନିଶା ଦ୍ରବ୍ୟ ଚୋରା ଚାଲାଣ କରିବା ପାଇଁ ପାକିସ୍ତାନ କରୁଥିବା ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ମାଛ ଧରା ବୋଟରେ ପାକିସ୍ତାନରୁ ୭୭ କେଜି ଓଜନର ହେରୋଇନ ଚାଲାଣ ହେଉଥିବା ବେଳେ ଏହାକୁ ଗୁଜରାଟ ଉପକୂଳରେ କାବୁ କରାଯାଇଛି।
ଏହି ବୋଟରେ ୬ ଜଣ ସଦସ୍ୟ ଥିଲେ। ସମସ୍ତଙ୍କୁ ଗିରଫ କରାଯାଇଛି। ଜବତ ହେରୋଇନର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କଚ୍ଚ ଜିଲ୍ଲାର ଜାଖାଉ ଉପକୂଳ ଠାରୁ ୬୪.୮୨ କିମି ଦୂରରେ ପାକିସ୍ତାନ ଷଡ଼ଯନ୍ତ୍ର ବିରୋଧରେ ଅପରେସନ ଆରମ୍ଭ ହୋଇଥିଲା।
ତଟରକ୍ଷୀ ବାହିନୀ ଓ ଗୁଜରାଟର ଆତଙ୍କବାଦୀ ନିରୋଧ ସ୍କ୍ୱାଡ(ଏଟିଏସ) ପକ୍ଷରୁ ରବିବାର ରାତି ୧୨ଟା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଗୋଟିଏ ମାଛ ଧରା ବୋଟକୁ କାବୁ କରାଯାଇଥିଲେ।
ଏହି ବୋଟର ନାଁ ଅଲ ହୁସେନ। ଏଥିରେ ୬ ଜଣ କ୍ରୁ ସଦସ୍ୟ ରହିଥିଲେ। ଯାଞ୍ଚ ବେଳେ ବୋଟରୁ ୭୭ କେଜି ଓଜନର ହେରୋଇନ ଜବତ ହୋଇଥିଲା। ଏହାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ ବୋଲି ଗୁଜରାଟର ଡିଫେନ୍ସ ପିଆରଓ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏବେ ଜାଖାଉ ଉପକୂରେ ବୋଟକୁ ରଖାଯାଇ ଅଧିକ ତଦନ୍ତ କରାଯାଉଛି।
ଗୁଜରାଟ ଏଟିଏସ୍ ଗୋଟିଏ ବିବୃତିରେ କହିଛି, ପାକିସ୍ତାନ ବୋଟ କରାଚିରୁ ଛାଡ଼ିଥିଲା। ଏହାପରେ ଡ୍ରଗ୍ସ ଡେଲିଭରୀ ପାଇଁ ଭିଏଚ୍ଏଫ ରେଡିଓ ଚ୍ୟାନେଲ ଓ ହରି-୧, ହରି-୨ ଭଳି କୋଡ ୱାର୍ଡ ବ୍ୟବହାର କରାଯାଇଥିଲା। କରାଚିରୁ ପାକିସ୍ତାନ ବୋଟ ବାହରି ଭାରତୀୟ ସୀମାରେ ପ୍ରବେଶ ସମ୍ପର୍କରେ ଏଟିଏସ୍କୁ ଗୁପ୍ତ ସୂଚନା ପୂର୍ବରୁ ମିଳିଥିଲା। ଏହାପରେ ହିଁ ତଟରକ୍ଷୀ ବାହିନୀ ସହ ମିଶି ଅପରେସନ କରାଯାଇଥିଲା।
ଶାହବାଜ ଅଲୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ପଞ୍ଜୀକୃତ ହୋଇଥିବା ଏହି ବୋଟଟି କରାଚି ପୋର୍ଟରୁ ଛାଡ଼ିଥିଲା। ପୋର୍ଟ ଠାରୁ ୬ କିମି ଦୂରରେ ହଠାତ୍ ଗୋଟିଏ ଫାଇବର ଡଙ୍ଗା ପହଞ୍ଚିଥିଲା। ସେଥିରେ ଥିବା ଜିନିଷ ବୋଟ୍ରେ ଲୋଡ କରାଯାଇଥିଲା। ଏହାକୁ ଗୁଜରାଟ ଉପକୂଳର କୌଣସି ଗୋଟିଏ ସ୍ଥାନରେ ଅଫଲୋଡ୍ କରିବାର ଥିଲା। କିନ୍ତୁ ଏହାପୂର୍ବରୁ ଭାରତୀୟ ସୁରକ୍ଷାକର୍ମୀ ପାକିସ୍ତାନରୁ ହୋଇଥିବା ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।