‘କରୋନା ପାଇଁ ୩ କୋଟିରୁ ଅଧିକ ଗରିବ ହେଲେ’

ନୂଆଦିଲ୍ଲୀ: ଲକଡାଉନ୍ କାରଣରୁ ତିନି କୋଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ବାହାର ହୋଇଯାଇଛନ୍ତି। ଅର୍ଥାତ ଗରିବ ଶ୍ରେଣୀକୁ ଯାଇଛନ୍ତି। ଗତବର୍ଷ ଏହି ସମୟରେ ସାରା ଦେଶରେ କରୋନା ସଂକ୍ରମଣକୁ ନଜରରେ ରଖି ଲକଡାଉନ୍ ହୋଇଥିଲା। ଏହାପରେ ଅନେକ ଜିନିଷରେ ତାଲା ପଡ଼ିଯାଇଥିଲା। ଆଉ ଅନେକ ଜୀବିକା ହରାଇବା ସହିତ ଆର୍ଥିକ ସମସ୍ୟାରେ ପଡ଼ିଥିଲେ। ଏବେ ଏହି ଲକଡାଉନକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଲୋକଙ୍କ ଆର୍ଥିକ ସ୍ଥିତିକୁ ନେଇ ଏକ ସର୍ଭେ ରିପୋର୍ଟ ଆସିଛି। ପିଉ ନାମକ ସଂସ୍ଥା କିଛି ଲୋକଙ୍କୁ ନେଇ ଏହି ଗବେଷଣା କରିଛି।

ଆମେରିକା ସ୍ଥିତ ଏହି ଗବେଷଣା ସଂସ୍ଥା କହିଛି, ଭାରତରେ ୩.୨ କୋଟି ମଧ୍ୟବିତ୍ତ ପରିବାର ଗରିବ ହୋଇଛନ୍ତି। ଏହି ଲୋକମାନେ କରୋନା ପୂର୍ବରୁ ଦୈନିକ ୭୨୪ ଟଙ୍କାରୁ ୧,୪୪୯ ଟଙ୍କା ହାରାହାରି ରୋଜଗାର କରୁଥିଲେ। ହେଲେ କରୋନାରୁ ବର୍ତ୍ତିବା ପାଇଁ ସରକାର ଯେଉଁ ସବୁ ନିୟମ ଲାଗୁ କରିଥିଲେ ସେଥିପାଇଁ ଅନେକ ରୋଜଗାର ହରାଇଥିଲେ।

ବିଶ୍ୱ ବ୍ୟାଙ୍କର ଆର୍ଥିକ ଅଭିବୃଦ୍ଧି ରିପୋର୍ଟକୁ ଆଧାର କରି ପିଉ ରିସର୍ଚ୍ଚ ସେଣ୍ଟର କହିଛି, ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ହ୍ରାସ ପାଇଛି। ଯାହାକି ଚାଇନାଠାରୁ ଅଧିକ। ୨୦୧୧ରୁ ୨୦୧୯ ମଧ୍ୟରେ ୫.୭ କୋଟି ଲୋକ ଦେଶରେ ମଧ୍ୟବିତ୍ତ ଶ୍ରେଣୀରେ ସାମିଲ୍ ହୋଇଥିଲେ। ହେଲେ ଏବେ ବର୍ଷକ ମଧ୍ୟରେ ୩.୨ କୋଟି ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଛନ୍ତି।

ସେହିପରି କରୋନା ମହାମାରୀ ବେଳେ ଦେଶରେ ଗିରବ ଲୋକଙ୍କ ସଂଖ୍ୟା ବଢ଼ିଛି। ପାଖାପାଖି ୭.୫ କୋଟି ଲୋକ ଏବେ ଦୈନିକ ୧୬୦ ଟଙ୍କା ହାରାହାରି କମିଥିବା ପିଉ ରିସର୍ଚ୍ଚ ସେଣ୍ଟର କହିଛି। ସେହିପରି ବର୍ଷକ ମଧ୍ୟରେ ଦେଶରେ ପେଟ୍ରୋଲ ଦର ୧୦ ପ୍ରତିଶତ ବଢ଼ିଛି। ଯାହାର ପ୍ରଭାବ ଦରମା, ରୋଜଗାର ଆଦି ଉପରେ ପଡ଼ିବା ପରେ ପରିବାର ଉପରେ ପଡ଼ିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ମୋଟ୍ ଉପରେ ୬.୬ କୋଟି ମଧ୍ୟବିତ୍ତ ପରିବାରର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ହେଲେ ୯.୯ କୋଟି ପ୍ରଭାବିତ ହେବେ ବୋଲି ପୂର୍ବାନୁମାନ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।