ବିରୋଧୀଙ୍କ ଦୋମୁହାଁ ନୀତି: ୩ କୃଷି ଆଇନରୁ ଗୋଟିଏକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରୁଛନ୍ତି। ହଜାର ହଜାର ଚାଷୀ ଦୀର୍ଘ ୧୦୦ରୁ ଅଧିକ ଦିନ ହେଲେ ଦିଲ୍ଲୀ ସୀମାରେ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରି ବିକ୍ଷୋଭ ଜାରି ରଖିଛନ୍ତି। ବିରୋଧୀମାନେ ଚାଷୀଙ୍କ ଦାବି ସହ ଏକମତ ଥିବା ଗଣମାଧ୍ୟମରେ ବାରମ୍ବାର କହି ଚାଲିଛନ୍ତି। ହେଲେ ଏବେ ବିରୋଧୀଙ୍କ ଦୋମୁହାଁ ନୀତି ସାମ୍ନାକୁ ଆସିଛି।

୩ଟି ଯାକ କୃଷି ଆଇନ ମଧ୍ୟରୁ ସରକାର ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦କୁ ଲାଗୁ କରନ୍ତୁ ବୋଲି ସଂସଦୀୟ ପ୍ୟାନେଲ ପକ୍ଷରୁ ପରାମର୍ଶ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ଲାଗୁ କରିବାକୁ ପରାମର୍ଶ ଦେଇଥିବା ସଂସଦୀୟ ପ୍ୟାନେଲରେ କଂଗ୍ରେସ, ଆପ୍‌ ଓ ଟିଏମସିର ସାଂସଦମାନେ ରହିଛନ୍ତି।

ଏହି ଦଳଗୁଡ଼ିକ ସବୁବେଳେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଥିଲେ। ହେଲେ ହଠାତ୍‌ ଦଳର ସାଂସଦମାନେ କେମିତି ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନକୁ ଲାଗୁ କରିବା ପରାମର୍ଶ ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମାର୍ଚ୍ଚ ୧୯ରେ ଖାଦ୍ୟ ସାମଗ୍ରୀ ଉପରେ ଗଠିତ ସଂସଦର ଷ୍ଟାଣ୍ଡିଂ କମିଟି ତା’ର ରିପୋର୍ଟ ଲୋକସଭାରେ ଉପସ୍ଥାପିତ କରିଛି। ଏହି କମିଟିର ମୁଖ୍ୟ ହେଉଛନ୍ତି ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟୟ। ସେ ସରକାରଙ୍କୁ ରିପୋର୍ଟ ଦେଇ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନରେ ହୋଇଥିବା ବ୍ୟବସ୍ଥାକୁ ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟକାରୀ କରାଯାଉ।

ଏହାଦ୍ୱାରା ଚାଷୀ ଓ ଫାର୍ମିଂ ସେକ୍ଟର ସହ ଜଡ଼ିତ ଲୋକମାନେ ଅଧିକରୁ ଅଧିକ ଲାଭ ଶୀଘ୍ର ପାଇପାରିବେ। ଦେଶରେ କୃଷି ଜାତୀୟ ଦ୍ରବ୍ୟ ଅଧିକ ପରିମାଣର ଉତ୍ପାଦନ ହେଉଥିଲେ ହେଁ ଚାଷୀମାନେ ଶୀତଳ ଭଣ୍ଡାର, ୱେରହାଉସ, ପ୍ରୋସେସିଂ ସମସ୍ୟା ଓ ରପ୍ତାନୀରେ ଅବହେଳା ଯୋଗୁ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଚାଷୀମାନେ ଭଲ ଉତ୍ପାଦନ କରୁଥିଲେ ହେଁ ଉପରୋକ୍ତ ସମସ୍ୟାଗୁଡ଼ିକ ପାଇଁ କୃଷି କ୍ଷେତ୍ରରେ କ୍ଷତି ସହୁଛନ୍ତି।

କମିଟି ଆଶା କରୁଛି ଯେ ନିକଟରେ କେନ୍ଦ୍ର ସରକାର ଆଣିଥିବା ଅତ୍ୟାବଶ୍ୟକ (ସଂଶୋଧନ) ଆଇନ, ୨୦୨୦ ଉପରୋକ୍ତ ସମସ୍ୟାର ସମାଧାନ କରିପାରିବ। ଏଥିସହ କୃଷି କ୍ଷେତ୍ରରେ ବିପୁଳ ପରିମାଣର ସୁଯୋଗ ସୃଷ୍ଟି କରିବ। ଏହା କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ରାସ୍ତା ଫିଟାଇବା ସହ ମାର୍କେଟରେ ସ୍ୱଚ୍ଛ ଓ ପ୍ରତିଯୋଗିତା ପୂର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। ସର୍ବୋପରି କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏହି ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କମିଟି କହିଛି।

କମିଟି ଆହୁରି କହିଛି ଯେ ସରାକର ଜରୁରୀ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଦର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରନ୍ତୁ। କାରଣ ଆଳୁ, ପିଆଜ ଓ ଡାଲି ଭଳି ଜରୁରୀ ସାମଗ୍ରୀକୁ ଜଣେ ସାଧାରଣ ଲୋକ ପ୍ରତିଦିନ ବ୍ୟବହାର କରିଥାଏ। ଲକ୍ଷାଧିକ ଲୋକ ପିଡିଏସ୍‌ର ସୁବିଧାରେ ସାମିଲ ହୋଇନାହାନ୍ତି। ତେଣୁ ନୂଆ ଆଇନ ଲାଗୁ ହେବା ପରେ ସେମାନେ ଯେମିତି ଦର ବୃଦ୍ଧିର ଶିକାର ନହୁଅନ୍ତି, ତା’ର ବ୍ୟବସ୍ଥା ସରକାର କରିବା ଦରକାର ବୋଲି କମିଟି ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।