‘୧୦୦ କୋଟି ବଟି ଆଦାୟ ପାଇଁ ଟାର୍ଗେଟ ଦେଇଥିଲେ ମନ୍ତ୍ରୀ’

ମୁମ୍ୱାଇ: ରୋଚକ ହେଉଛି ମହାରାଷ୍ଟ୍ରର ସଚିନ ବାଜେ ମାମଲା। ଗୋଟିଏ ପଟେ ନିଲମ୍ୱିତ ଏପିଆଇ ସଚିନ ବାଜେ ଓ ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଯେକୌଣସି ତଦନ୍ତ ହେଉ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆହ୍ୱାନ କରିଛନ୍ତି। ଅନ୍ୟପଟେ ଏବେ ଅନୀଲ ଦେଶମୁଖଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରମବୀର ସିଂହ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପରମବୀର ସିଂହ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଅନୀଲ ଦେଶମୁଖ ତାଙ୍କୁ କହିଥିଲେ ସଚିନ ବାଜେଙ୍କ ପାଖରୁ ମାସିକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ। ଆଉ ସେ ଅନୀଲଙ୍କ କଥା ମାନି ସଚିନ ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଜମା କରିବାକୁ କହିଥିଲେ। ପରମବୀର ସିଂ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦେଶମୁଖ ତାଙ୍କ ଘରେ ସଚିନ ବାଜେଙ୍କୁ ଅନେକ ଥର ଡାକିଥିଲେ।

ଏବେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ସେ କହିଛନ୍ତି ପରମବୀର ସିଂହ ସଚିନେ ବାଜେ ମାମଲାରେ ଆଗାମୀ ଦିନରେ ଜେରାର ସମ୍ମୁଖୀନ ହୋଇପାରନ୍ତି। ଏଥିରୁ ବର୍ତ୍ତିବା ପାଇଁ ଏଭଳି ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି। ମୁକେଶ ଅମ୍ବାନୀ ମାମଲାରେ ସଚିନ ବାଜେଙ୍କ ସମ୍ପୃକ୍ତି ତଥା ମନସୁଖ ହିରେନ ହତ୍ୟା ମାମଲାର ଗହନ କଥା ଧୀରେ ଧୀରେ ସାମ୍ନାକୁ ଆସୁଛି। ତେଣୁ ପରମବୀର ସିଂଙ୍କ ଏଭଳି ମନ୍ତବ୍ୟ ଦେଉଛନ୍ତି।

ଏବେ ଏହାକୁ ନେଇ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଅନୀଲ ଦେଶମୁଖ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଦରକାର ନଚେତ ତଦନ୍ତ ଠିକ୍ ଭାବରେ ହୋଇପାରିବ ନାହିଁ ବୋଲି ଫଡ଼ନାଭିସ କହିଛନ୍ତି।

ପରମବୀର ସିଂହଙ୍କ ଅଭିଯୋଗ

  • ଅନୀଲ ଦେଶମୁଖ ସଚିନ ବାଜେଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଡାକିଥିଲେ
  • ଅନୀଲ ଦେଶମୁଖ ସଚିନ ବାଜେଙ୍କୁ ପାଣ୍ଠି ସଂଗ୍ରହ କରିବାକୁ କହିଥିଲେ
  • ଅନୀଲ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଟଙ୍କା ବଟି ଦେବାକୁ ବାଜେଙ୍କୁ ଟାର୍ଗେଟ ଦେଇଥିଲେ
  • ପ୍ରତ୍ୟେକ ବିୟର ବାର୍, ପବକୁ ୨-୩ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ କୁହାଯାଇଥିଲା
  • ହୁକା ପାର୍ଲରରେ ରେଡ୍ କରି ବଟି ଆଦାୟ କରିବାକୁ କୁହାଯାଇଥିଲା

ଫେବୃଆରୀ ୨୫ରେ, ମୁମ୍ୱାଇ ସ୍ଥିତ ଅମ୍ୱାନୀଙ୍କ ଘର ଆଣ୍ଟିଲିଆରୁ ଅଳ୍ପ ଦୂରରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ତଦନ୍ତ ମୁମ୍ବାଇ ପୁଲିସ କରୁଥିଲା। କିନ୍ତୁ କିଛି ଦିନ ପରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାରର ମାଲିକ ମନସୁଖ ହିରେନଙ୍କର ରହସ୍ୟ ଜନକ ଭାବରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ସଚିନ ବାଜେ ପରମବୀରଙ୍କ ସହ ଏକାଠି ପାଖାପାଖି ତିନି ଘଣ୍ଟା ବୈଠକ କରିଥିଲେ ବୋଲି ଜଣାପଡ଼ିଛି।

ଏହାପରେ ମନସୁଖଙ୍କ ପତ୍ନୀ ଏପିଆଇ ସଚିନ ବାଜେଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ଆଉ ବିବାଦ ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ଏଟିଏସ ପାଖରୁ ତଦନ୍ତ ଦାୟିତ୍ୱ ନେଇ ଏନଆଇଏକୁ  ଦେଇଛନ୍ତି।

ମନସୁଖ ହିରେନର ମୃତ୍ୟୁ ପୂର୍ବରୁ ସଚିନ ବାଜେ ସହ ଏକାଠି ଥିଲେ। ଏମିତିକି ଅନେକ ଥର ଉଭୟ ଫୋନରେ କଥା ହୋଇଥିବା କଲ ରେକର୍ଡରୁ ଜଣାପଡ଼ିଛି। ସଚିନ ବାଜେ କୋର ଚୋରି ମାମଲାରେ ଆତ୍ମସମର୍ପଣ କରିଦେଲେ ଜାମିନ କରାଇଦେବ ବୋଲି କହିଥିବା ମୃତକଙ୍କ ସ୍ତ୍ରୀ କହିଛନ୍ତି। ଏହି କଥା ତାଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ଫୋନରେ କହିଥିଲେ ବୋଲି ବିମଳା ହିରେନ କହିଥିଲେ। ଶବ ବ୍ୟବଚ୍ଛେଦ ବେଳେ ସଚିନ କାହିଁକି ଉପସ୍ଥିତ ଥିଲେ? ପୁଲିସ ପ୍ରଥମେ ମନସୁଖ ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡ଼ିଛି ସେ ପାଣିରେ ବୁଡ଼ି ଆତ୍ମହତ୍ୟା କରି ନାହାନ୍ତି କାରଣ ତାଙ୍କ ପେଟରେ ପାଣି ନଥିଲା। ମୁହଁରେ ରୁମାଲ ପୁରାଯାଇ ନଦୀକୁ ଠେଲି ଦିଆଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ସଚିନ ବାଜେ ଏବେ ଅପରାଧୀ ବୋଲି ପ୍ରଶ୍ନ ଉଠିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।