ନୂଆ ଟ୍ୱିଷ୍ଟ: ପରମବୀର ସିଂହ ହେଉଛନ୍ତି ବରିଷ୍ଠ ବିଜେପି ନେତାଙ୍କ ସମୁଦି

ମୁମ୍ବାଇ(ଆଇଏଏନଏସ): ପୂର୍ବତନ ମୁମ୍ବାଇ ପୁଲିସ୍‌ କମିଶନର ପରମବୀର ସିଂହଙ୍କ ଚିଠି ବୋମାକୁ ନେଇ ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି(ଏମଭିଏ) ସରକାର ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। ପୁଲିସ୍‌ କମିଶନର ପଦରୁ ବିଦା ହେବା ପରେ ପରମବୀର ସିଂହ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ସେ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିବା ପରମବୀର ଚିଠିରେ ଲେଖିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପରମବୀର ସିଂହଙ୍କ ବିଜେପି ଲିଙ୍କ ସାମ୍ନାକୁ ଆସିଛି। ବିଜେପି ସହ ପରମବୀର ସିଂହଙ୍କ ପାରିବାରିକ ସମ୍ପର୍କ ରହିଛି।

ପରମବୀର ସିଂହଙ୍କ ପୁଅ ରୋହନ ପି ସିଂହ ନାଗପୁରର ବରିଷ୍ଠ ବିଜେପି ନେତା ଦତ୍ତାତ୍ରେୟ ଆର ମେଘଙ୍କ ନାତୁଣୀ ରୂପାଲୀ ଏସ ମେଘେଙ୍କୁ ବିବାହ କରିଛନ୍ତି। ରୂପାଲୀ ହେଉଛନ୍ତି ବିଜେପିର ପୂର୍ବତନ ଏମଏଲସି ସାଗର ମେଘେଙ୍କ ଝିଅ। ସାଗର ୨୦୧୪ରେ କଂଗ୍ରେସ ଟିକେଟରୁ ୱାର୍ଦ୍ଧା ଲୋକସଭାରୁ ଛିଡ଼ା ହୋଇ ପରାସ୍ତ ହୋଇଥିଲେ। ଏବେ ସେ ଦୁବାଇରେ ଅବସ୍ଥାପିତ ତାଙ୍କ ବାପାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି।

ଦତ୍ତାତ୍ରେୟ ୩ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏବେ ତାଙ୍କୁ ୮୫ ବର୍ଷ ବୟସ ହେଲାଣି। ଦୀର୍ଘ ୪ ଦଶନ୍ଧି ଧରି ଏନସିପି ଓ କଂଗ୍ରେସ ସହ ରହିବା ପରେ ମେଘା ପରିବାର ବିଜେପିକୁ ଯାଇଥିଲେ। ସାଗରଙ୍କ ଜଣେ ସମ୍ପର୍କୀୟ ଭାଇ ସମୀର ଏବେ ବି ବିଜେପିର ହିଙ୍ଗନା ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।

ଏହାବାଦ ପରମବୀର ସିଂହଙ୍କ କଲେଜ ବନ୍ଧୁ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ ସିଂହଙ୍କ ସହ ମଧ୍ୟ ପରମବୀର ସିଂହ ବେଶ ନିବିଡ଼ତା ରହିଥିବା ଆଇଏନଏସ୍‌ରେ ରିପୋର୍ଟ ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।