ନାକରୁ ଟିକେ ଖସିଗଲେ ଓହ୍ଲାଇଦେବେ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜାରି ହୋଇଛି କଡ଼ା ନିୟମ। ଯଦି ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିବେ ତା’ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛି ଡିଜିସିଏ। ତତ୍କାଳ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ।

DGCA GUIDELINE
ଡିଜିସିଏ ଗାଇଡଲାଇନ୍

ଡିଜିସିଏ କହିଛି, କିଛି ଯାତ୍ରୀ ଠିକ୍ ଭାବରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଏହି ନୂଆ ନିର୍ଦ୍ଦେଶ ଦିଆଯାଇଛି। ଅଧିକାଂଶ ଯାତ୍ରୀ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି। କିନ୍ତୁ ମାସ୍କ ଉଭୟ ପାଟି ଏବଂ ନାକକୁ ଘୋଡ଼ାଇ ରଖିବା ଉଚିତ୍। କେବଳ ଚେକିଂ ହେଉଥିବା ସ୍ଥାନରେ ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି। ଆଉ ବିମାନରେ ବସିବା ବେଳେ ଏହି ନିୟମକୁ ଠିକ୍ ଭାବେ ଅନୁପାଳନ କରୁ ନାହାନ୍ତି। କରୋନାକୁ ଦୂରେଇ ରଖିବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବା ଜରୁରୀ ଡିଜିସିଏ କହିଛି।

ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା, ପିପିଇ କିଟ୍ ଓ ସାନିଟାଇଜର ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି, ଯଦି କୌଣସି ଯାତ୍ରୀ ବିମାନ ବନ୍ଦରରେ କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି, ତାହେଲେ ସଂପୃକ୍ତ ଯାତ୍ରୀଙ୍କୁ ସତର୍କ କରାଯିବାର ଆବଶ୍ୟକତା ରହିଛି। ଏମିତିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟମ ମୁତାବିକ ହେବା ଆବଶ୍ୟକ ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ୫ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକରୁ ଅଧିକ ରହୁଥିବାରୁ ଏହା କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ କୋଭିଡ୍ ସ୍ଥିତି ସବୁଠୁ ଉଦବେଗ ଜନକ ବୋଲି କୁହାଯାଉଛି। ଏବେ ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ନାଗପୁର, ଓକେଲା, ପୁଣେ ଆଦି ଭିନ୍ନ ଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି।

୫ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨.୯୬ ପ୍ରତିଶତ ରହିଛି। ମହାରାଷ୍ଟ୍ର ଓ କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧.୬୯ ପ୍ରତିଶତ ରହିଛି। ସେହିପରି ତାମିଲନାଡୁ, ପଞ୍ଜାବ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।