କଂଗ୍ରେସ ଛାଡ଼ିଥିବା ପିସି ଚାକୋ ଏନସିପିରେ ମିଶିଲେ

ନୂଆଦିଲ୍ଲୀ: କେରଳ କଂଗ୍ରେସ ୟୁନିଟ ଉପରେ ପ୍ରଶ୍ନ ଉଠାଇ ଦଳକୁ ବାଏବାଏ କହିଥିବା ବରିଷ୍ଠ ରାଜନେତା ପିସି ଚାକୋ ଆଜି ଶରଦ ପାୱାରଙ୍କ ଏନସିପିରେ ମିଶିଛନ୍ତି। ସେ ଆଜି ଏନସିପିରେ ମିଶିବା ପରେ କଂଗ୍ରେସକୁ ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, “ବିରୋଧୀ ଦଳରେ ଏକତା ରହିବା ଜରୁରୀ। ହେଲେ ମୁଁ ମୋ ପୂର୍ବ ପାର୍ଟିରେ ଏକଥା ଦେଖିବାକୁ ପାଉ ନଥିଲି। ଠିକ୍‌ ମାର୍ଗରେ ଓ ଠିକ୍‌ ଭାବେ କାର୍ଯ୍ୟ କରୁଥିବା ଗୋଟିଏ ଦଳରେ ମୁଁ ମିଶିଥିବାରୁ ବେଶ ଖୁସି ଅନୁଭବ କରୁଛି।”

ଶ୍ରୀ ଚାକୋଙ୍କୁ ଆଜି ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ଶରଦ ପାୱାର ଦଳକୁ ସ୍ୱାଗତ କରିଥିଲେ। ସେମାନେ ମଧ୍ୟ ମିଶ୍ରଣ ପର୍ବରେ ଉପସ୍ଥିତ ରହିଥିଲେ। ଚାକୋ ଆହୁରି କହିଛନ୍ତି, “ଏଲଡିଏଫର ଅଂଶବିଶେଷ ଭାବେ ମୁଁ ଏନସିପିରେ ସାମିଲ ହୋଇଛି। ଆଜି ଦେଶରେ ଲେଫ୍ଟ ଓ ଅନ୍ୟ ଗଣତାନ୍ତ୍ରିକ ପାର୍ଟି ଗୁଡ଼ିକ ଏକାଠି ହେବାର ଆବଶ୍ୟକ ରହିଛି। ମୁଁ ପାୱାର ସାହେବଙ୍କୁ ପ୍ରତିଶ୍ରୁତି ଦେଇଛି ଯେ କେରଳରେ ଲେଫ୍ଟ ଫ୍ରଣ୍ଟ କ୍ଷମତା ଦଖଲ କରିବ। ମୁଁ କେରଳରେ ଜଣେ ପ୍ରକୃତ ସୈନ୍ୟ ହିସାବରେ କାମ କରିବି।”

କେରଳର ଥ୍ରୀସୁରର ପୂର୍ବତନ ସାଂସଦ ହେଉଛନ୍ତି ୭୪ ବର୍ଷୀୟ ଚାକୋ। ୨ଜି ସ୍ପେକ୍ଟରମ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟିର ମୁଖ୍ୟ ଭାବେ ସେ ୨୦୦୯ରୁ ୨୦୧୪ ଯାଏ କାର୍ଯ୍ୟ କରିଥିଲେ। ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଗଣତାନ୍ତ୍ରି ଭାବେ ପ୍ରାର୍ଥୀ ଚୟନ କରୁଥିବା ଅଭିଯୋଗ କରି ଚାକୋ ମାର୍ଚ୍ଚ ୧୦ରେ ଦଳରୁ ଇସ୍ତଫା ଦେଇଥିଲେ।

ବର୍ତ୍ତମାନ କେରଳରେ ପିନରାୟୀ ବିଜୟନଙ୍କ ବାମପନ୍ଥୀ ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରାଟ ଫ୍ରଣ୍ଟ କ୍ଷମତାରେ ରହିଛି। କଂଗ୍ରେସ ଓ ବିଜେପି ଏଠାରେ ଶାସନ ଦଖଲ କରିବା ଲକ୍ଷ୍ୟରେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।