ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପିସି ଚାକୋ

ନୂଆଦିଲ୍ଲୀ: କଂଗ୍ରେସକୁ ବହୁତ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ପିସି ଚାକୋ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଥିସହ ନିଜର ଇସ୍ତଫାପତ୍ରକୁ ସେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆସନ୍ତାମାସରେ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପିସି ଚାକୋଙ୍କ ଏଭଳି ପଦକ୍ଷେପ କଂଗ୍ରେସକୁ ଝଟକା ସଦୃଶ ହୋଇଛି।

ସେ ଆଜି ନିଜର ଇସ୍ତଫା ସମ୍ପର୍କରେ କହିଛନ୍ତି, “ମୁଁ କଂଗ୍ରେସକୁ ବାଏବାଏ କହିଦେଇଛି ଓ ମୋ ଇସ୍ତଫାପତ୍ରକୁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛି। ମୁଁ ଦଳ ପାଇଁ ଅନେକ କଠିନ ପରିଶ୍ରମ କରିଛି। କିନ୍ତୁ ଏବେ କେରଳ କଂଗ୍ରେସ ଟିମ୍‌ ସହ କାର୍ଯ୍ୟ କରିବା ଅସମ୍ଭବ। କଂଗ୍ରେସ ନେଇଥିବା ପ୍ରତିଟି ନିଷ୍ପତ୍ତିକୁ ମୁଁ ପାଳନ କରିଥିଲି। କିନ୍ତୁ ଏବେ ମୋ ପକ୍ଷରେ ନିଷ୍ପତ୍ତି ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି।

ଆପଣ କେବେ ହେଲେ ଜଣଙ୍କୁ ନେଇ ଦଳ ଚଳାଇ ପାରିବେ ନାହିଁ। କଂଗ୍ରେସ କେରଳରେ ଗୋଟିଏ ଦଳ ଭାବେ ନୁହେଁ ବରଂ ଦୁଇଟି ଗ୍ରୁପ୍‌ ମଧ୍ୟରେ ଥିବା କୋର୍ଡିନେସନ କମିଟି ଭାବେ କାର୍ଯ୍ୟ କରୁଛି। କେରଳରେ କଂଗ୍ରେସକୁ ଏ ଓ ଆଇ ଗ୍ରୁପ୍‌ର ନେତା ଚଳାଉଛନ୍ତି। କେରଳରେ କିଏ ପ୍ରାର୍ଥୀ ହେବ, ତା’ର ଆଲୋଚନା ନିର୍ବାଚନ କମିଟିରେ ଆଲୋଚନା ହେଉନାହିଁ।

ନିଜ ଇଚ୍ଛାରେ ଏ ଓ ଆଇ ଗ୍ରୁପ୍‌ର ସଦସ୍ୟମାନେ ନେତାଙ୍କୁ ଟିକେଟ ଦେଉଛନ୍ତି। ସବୁ କିଛି ଗ୍ରୁପ୍‌ରେ ହେଉଥିବା ବେଳେ ହାଇକମାଣ୍ଡ କେବଳ ନିରବତା ଅବଲମ୍ବନ କରୁଛନ୍ତି। ଏପରି ସ୍ଥିତିରେ ଦଳରେ ରହିବା ଅସମ୍ଭବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।