‘ଖେଳରତ୍ନ’ର ନାଁ ବଦଳିବା ପରେ ଷ୍ଟାଡିୟମ ନାଁ ବଦଳାଇବାକୁ ଉଠିଲା ସ୍ୱର

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲାଣି ଦେଶର ସଫଳ ଖେଳାଳିଙ୍କୁ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ରାଜବୀ ଗାନ୍ଧି ଖେଳରତ୍ନ ନାଁରେ ପୁରସ୍କାର ଦିଆଯାଉଥିଲା। ହେଲେ ଭାରତ ସରକାର ଖେଳରତ୍ନ ପୁରସ୍କାରରୁ ରାଜୀବ ଗାନ୍ଧି ଶବ୍ଦ ହଟାଇ ଦେଇଛନ୍ତି।

ଏଣିକି ଏହି ପୁରସ୍କାରକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଭାବେ ସଫଳ କ୍ରୀଡ଼ାବିତଙ୍କୁ ଦିଆଯିବ। ଲୋକମାନେ ବାରମ୍ବାର ଖେଳରତ୍ନର ନାଁ ବଦଳାଇବାକୁ ପ୍ରସ୍ତାବ ଦେବାରୁ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଭାରତ ସରକାର ଏପରି ନିଷ୍ପତ୍ତି ନେଇଥିବା ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଲୋକମାନେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କ୍ରୀଡ଼ା ପୁରସ୍କାର ଖେଳାଳିଙ୍କ ନାଁରେ ନାମିତ ହେବା ଦରକାର ବୋଲି କହିଛନ୍ତି। ଏଥିସହ କ୍ରୀଡ଼ା ସହ ରାଜନୀତିକ ବ୍ୟକ୍ତିବିଶେଷଙ୍କ ନାଁ ଯୋଡ଼ିବାକୁ ମନା କରିଛନ୍ତି। ଏହାବାଦ ସମାନ ନିୟମ ଗୁଜରାଟର ଅହମଦାବାଦରେ ତିଆରି ହୋଇଥିବା ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ’ ପାଇଁ ଲାଗୁ ହେବ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ସୋଶାଲ ମିଡିଆ ବ୍ୟବହାରକାରୀ, ବିଶିଷ୍ଟ ବ୍ୟକ୍ତି ଓ ବିରୋଧୀ ଦଳର ନେତାମାନେ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଜଣେ କ୍ରୀଡ଼ାବିତଙ୍କ ନାଁରେ ନାମିତ କରିବାକୁ ଦାବି କରିଛନ୍ତି। ଯଦି ଲୋକଙ୍କ ଭାବନାକୁ ସମ୍ମାନ ଦିଆଯାଇ ଖେଳରତ୍ନର ନାଁ ବଦଳି ପାରିଲା, ତା’ହେଲେ ସେ ନ୍ୟାୟରେ କାହିଁକି ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳି ପାରିବ ନାହିଁ?

କ’ଣ ଭାରତ ସରକାର ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳାଇବାକୁ କହୁଥିବା ଲୋକଙ୍କ ଭାବନାକୁ ସମ୍ମାନ ଦେବେ ନାହିଁ? କ’ଣ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଡିୟମ ବଦଳାଇବାକୁ କହୁଥିବା ଲୋକଙ୍କୁ ଦେଶର ନାଗରିକ ବୋଲି ଭାବନ୍ତି ନାହିଁ କି? ଯଦି ସେମାନେ ଦେଶର ନାଗରିକ, ତା’ହେଲେ କାହିଁକି ସେମାନଙ୍କ ଦାବିକୁ ସମ୍ମାନ ମିଳିବ ନାହିଁ? ଏମିତି ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।


୨୦୨୦ ମସିହାରେ ଗୁଜରାଟର ଅହମଦାବାଦରେ ଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ ବା ମୋଟେରା ଷ୍ଟାଡିୟମର ନାଁକୁ ବଦଳାଇ ଦିଆଯାଇଥିଲେ। ଏବେ ଉକ୍ତ ଷ୍ଟାଡିୟମ ଦେଶର ପ୍ରଧାନମନ୍ତ୍ରୀଙ୍କ ନାଁ ଅନୁଯାୟୀ ନରେନ୍ଦ୍ର ମୋଦି ଷ୍ଟାଡିୟମ ରଖା ଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ।

ଖେଳରତ୍ନ ପୁରସ୍କାରର ନାଁ ବଦଳିବା ପରେ ପୂର୍ବତନ କ୍ରିକେଟର ଇରଫାନ ପଠାନ ଟ୍ୱିଟ କରି କହିଛନ୍ତି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କ୍ରୀଡ଼ାବିତଙ୍କୁ ସମ୍ମାନ ମିଳିବା ସହ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ। ଆଶା କରୁଛି ଭବିଷ୍ୟତର କ୍ରୀଡ଼ା ଷ୍ଟାଡିୟମ କ୍ରୀଡ଼ାବିତଙ୍କ ନାଁରେ ନାମିତ କରାଯିବ ବୋଲି ସେ କହିଛନ୍ତି।

ଧ୍ରୁବ ରାଠେ ନାମକ ଜଣେ ୟୁଟ୍ୟୁବର କହିଛନ୍ତି, “ରାଜୀବ ଗାନ୍ଧି ଖେଳରତ୍ନକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ନାମିତ କରିବା ମୋଦି ସରକାରଙ୍କ ଭଲ ନିଷ୍ପତ୍ତି। ବର୍ତ୍ତମାନ ମୋର ଆଶା ସେମାନେ ଏବେ ନରେନ୍ଦ୍ର ମୋଦି ଓ ଜେଟଲୀ ଷ୍ଟାଡିୟମର ନାଁ ମଧ୍ୟ ବଦଳାଇବେ। ସବୁ ରାଜନେତାଙ୍କ ନାଁ ହଟାଇ ଦିଆଯାଉ।”


ଏଠାରେ ଧ୍ରୁବ ଦିଲ୍ଲୀର ଫିରୋଜ ଶାହ କୋଟଲା କ୍ରିକେଟ ଷ୍ଟାଡିୟମ କଥା କହିଛନ୍ତି। ୨୦୧୯ରେ ଏହାର ନାଁକୁ ବଦଳା ଯାଇ ବିଜେପିର ଦିବଂଗତ ନେତା ଅରୁଣ ଜେଟଲୀଙ୍କ ନାଁରେ ନାମିତ କରାଯାଇଥିଲା। ଏମାନଙ୍କ ବ୍ୟତୀତ ଗୁଜରାଟର ବିରୋଧୀ ଦଳ ନେତା ଶଙ୍କରସିଂହ ବାଘେଲ ଓ ଡା ଶାମା ମହମ୍ମଦଙ୍କ ଠାରୁ ଅନେକ ଲୋକ ରାଜନେତାଙ୍କ ନାଁରେ ନାମିତ ଷ୍ଟାଡିୟମ ଏବଂ ଖେଳ ପୁରସ୍କାରକୁ ବଦଳାଇବାକୁ କହିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ବ୍ରୋଞ୍ଜ ପଦକ ଜିତି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଆଜି ଖେଳରତ୍ନର ନାଁ ବଦଳିବା ସମ୍ପର୍କରେ ଘୋଷଣା କରିଥିଲେ।

ଧ୍ୟାନଚାନ୍ଦଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ ହକି ଖେଳାଳି ବୋଲି କୁହାଯାଏ। ଦୀର୍ଘ ଦଶନ୍ଧି ଧରି ହକିରେ ଭାରତ ଧ୍ୟାନଚାନ୍ଦଙ୍କ ପାଇଁ ପ୍ରାଧ୍ୟାନ ବିସ୍ତାର କରିଥିଲା। ୧୯୨୮, ୧୯୩୨ ଓ ୧୯୩୬ ମସିହାରେ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ମେଜର ଧ୍ୟାନଚାନ୍ଦ।


ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍ ମୋଟ ୧୨ଟି ପଦକ ପାଇଛି। ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ। ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।