ପ୍ରିମିୟମ ପରେ ସାଧାରଣ ପେଟ୍ରୋଲ ଦର ବି ୧୦୦ ପାର୍‌

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଥମିବାର ନାଁ ଧରୁନି। ଆଜି କ୍ରମାଗତ ୯ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୯.୫୪ ଟଙ୍କା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୭୯.୯୫ ଟଙ୍କା ହୋଇଯାଇଛି।

ତେବେ ପ୍ରିମିୟମ ପରେ ଏବେ ରାଜସ୍ଥାନରେ ସାଧାରଣ ପେଟ୍ରୋଲର ଲିଟର ପିଛା ଦାମ ମଧ୍ୟ ୧୦୦ ଟଙ୍କା ପାର କରିଛି। ଆଜି ରାଜ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଦାମ ୨୫ ପଇସା ଲେଖାଏ ବୃଦ୍ଧି ପାଇବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କେବଳ ରାଜସ୍ଥାନ ନୁହେଁ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ପାର କରିଥିଲା।

ହେଲେ ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ପ୍ରଥମଥର ପାଇଁ ସାଧାରଣ ପେଟ୍ରୋଲର ଲିଟର ପିଛା ଦାମ ୧୦୦.୧୩ ଛୁଇଁଛି। ଆଜି ସକାଳ ୬ରୁ ଏହି ଦର ଦେଖି ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ଗତ ମାସରେ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ୨% ହ୍ରାସ କରିଥିଲେ। ତଥାପି ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀଗଙ୍ଗାନଗରରେ ଆଜି ଡିଜେଲର ଲିଟର ପିଛା ଦର ୯୨.୧୩ ଟଙ୍କା ରହିଛି।

ଅନ୍ୟପକ୍ଷରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲର ଲିଟର ପିଛା ଦାମ ୮୬.୯୮ ଟଙ୍କା ରହିଛି। ମଧ୍ୟପ୍ରଦେଶର ଅନୁପୁରରେ ପେଟ୍ରୋଲର ଲିଟର ପିଛା ଦର ୯୯.୯୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୩୫ ଟଙ୍କାରେ ବିକ୍ରି କରାଯାଉଛି।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବ୍ରାଣ୍ଡେଣ୍ଡ ପେଟ୍ରୋଲର ଲିଟର ପିଛା ଦର ୧୦୨.୯୧ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୫.୭୯ ଟଙ୍କା ରହିଛି। ଦିଲ୍ଲରେ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦର ୯୨.୩୭ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୩.୨୪ ଟଙ୍କା ରହିଛି।

ଭୁବନେଶ୍ୱରର ମଧ୍ୟ ପେଟ୍ରୋଲର ଲିଟର ପିଛା ଦର ଆଜି ୨୫ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୯୦.୨୫ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଡିଜେଲର ଲିଟର ପିଛା ଦର ୨୭ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୮୭.୧୨ ଟଙ୍କା ଛୁଇଁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।