ଆତଙ୍କୀ ସଂଗଠନ ପିଏଫଆଇର ଟ୍ରେନିଂ କ୍ୟାମ୍ପ ଆରଏସଏସ ଶାଖା ଭଳି: ପାଟନା ପୁଲିସ ଅଫିସର

ପାଟନା: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ) ଶାଖା ଭଳି ଆତଙ୍କବାଦୀ ସଂଗଠନ ପିଏଫଆଇ ଯୁବକମାନଙ୍କୁ ମାର୍ଶଲ ଆର୍ଟର ତାଲିମ ଦେଇଥାଏ ବୋଲି କହିଛନ୍ତି ପାଟନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ। ପୁଲିସ ଅଧିକାରୀ ଆରଏଏସକୁ ପିଏଫଆଇ ସହ ତୁଳନା କରିବାରୁ ବିବାଦ ସୃଷ୍ଟି ହୋଇଛି। ତାଙ୍କୁ ବିହାର ସରକାର ତୁରନ୍ତ ପଦରୁ ହଟାନ୍ତୁ ବୋଲି ଜେଡିୟୁ ସହ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ପକ୍ଷରୁ ଦାବି କରାଯାଇଛି।

ବିବାଦ ବଢ଼ୁଥିବାରୁ ପାଟଣାର ଏସଏସପି ମାନବଜିତ ସିଂହ ଧିଲନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି। ତେବେ ବିରୋଧୀ ଆରଜେଡି ଓ ଏଚଏଏମ ଏସଏସପିଙ୍କ ବିବୃତିକୁ ସମର୍ଥନ କରିଛନ୍ତି।

ଏସଏସପି ମାନବଜିତ ସିଂ ଧିଲନ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫସ କରିଥିଲେ। ଏହି ସମୟରେ ସେ ଆରଏସଏସ ସହିତ ପିଏଫଆଇକୁ ତୁଳନା କରିଥିଲେ। ସେ କହିଥିଲେ ଯେ ଯେପରି ଆରଏସଏସର ଶାଖା ଅଛି ଓ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଉଛି, ଠିକ ସେହିଭଳି ପିଏଫଆଇ ଯୁବକମାନଙ୍କୁ ଶାରୀରିକ ତାଲିମ ଓ ମାର୍ଶଲ ଆର୍ଟର ଟ୍ରେନିଂ ଦେଇଥାଏ।

ପିଏଫଆଇ ମସଜିଦ ଓ ମଦ୍ରାସାରେ କାମ କରି ଯୁବକମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ। ସେମାନଙ୍କୁ ମୌଳବାଦୀ ଚିନ୍ତାଧାରେ ବଶବର୍ତ୍ତୀ କରିଥାଏ। ସେମାନଙ୍କର ଉଦ୍ଦେଶ୍ୟ ଠିକ ଆରଏସଏସ ଶାଖାର ଉଦ୍ଦେଶ୍ୟ ଭଳି। ସେମାନେ ଯୁବଗୋଷ୍ଠୀଙ୍କୁ ଶାରୀରିକ ଶିକ୍ଷା ନାଁରେ ତାଲିମ ଦିଅନ୍ତି ଓ ନିଜର ଏଜେଣ୍ଡାର ପ୍ରଚାର କରନ୍ତି।

ଆମେ ମାର୍ଶଲ ଆର୍ଟ ଶିକ୍ଷା ଦିଆଯାଉଥିବା କ୍ୟାମ୍ପରୁ ଅନେକ ଆପତ୍ତିଜକନ ସାମଗ୍ରୀ ସହ ବାଡ଼ି ଓ ଖଣ୍ଡା ଜବତ କରିଛୁ। ମିଳିଥିବା ଦସ୍ତାବିଜଗୁଡ଼ିକ ଜରିଆରେ ଯୁବକମାନଙ୍କ ବ୍ରେନ ୱାଶ କରାଯିବା ସହ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ବିଶ୍ୱାସ କରିବାକୁ ଉସକା ଯାଉଥିଲା। ଏହି ଷଡ଼ଯନ୍ତ୍ର ସହ କୌଣସି ମୁଖ୍ୟସ୍ରୋତରେ ଥିବା ଧାର୍ମିକ ଅନୁଷ୍ଠାନର ଲିଙ୍କ ମିଳିନି।

ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତମାନେ ପୂର୍ବରୁ ସିମି ପାଇଁ କାମ କରୁଥିଲେ। ସେହିପରି ସେମାନେ ସମାଜର ମୁଖ୍ୟସ୍ରୋତରୁ ନିଜକୁ ଦୂରେଇ ରଖୁଥିଲେ। ପିଏଫଆଇ ଭଳି ସଂଗଠନଗୁଡ଼ିକର ଏକାଧିକ ଅଣ୍ଡରଗ୍ରାଉଣ୍ଡ ସେଲ୍ସ ରହିଛନ୍ତି। ଅଭିଯୁକ୍ତମାନେ ସେମାନଙ୍କ ନାଁରେ ବୈଠକ କରନ୍ତି ଓ ସଦସ୍ୟମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପର ଆୟୋଜନ କରନ୍ତି। ଯଦି ମୁସଲିମ ସଂପ୍ରଦାୟର ଲୋକମାନଙ୍କୁ ନିର୍ଯାତନା ଦିଆଯିବ, ତା’ହେଲେ ସେମାନେ ରକ୍ଷକ ହୋଇ କାମ କରିବେ ବୋଲି ବାର୍ତ୍ତା ଦେଇ ଯୁବକମାନଙ୍କୁ ନିଜ ଆଡ଼କୁ ଆଣୁଥିଲେ।”

ତେବେ ଧିଲନଙ୍କ ଆରଏସଏସ ଓ ପିଏଫଆଇ ବୟାନକୁ ବିଜେପି ଘୋର ବିରୋଧ କରି ତାଙ୍କୁ ପଦରୁ ହଟାଇବାକୁ ଦାବି କରିଛି। ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ କହିଛନ୍ତି ଯେ ପାଟଣାର ଏସଏସପି ପିଏଫଆଇର ମୁଖପାତ୍ରଙ୍କ ପରି ମତ ଦେଇଛନ୍ତି। ତାଙ୍କୁ ଏସଏସପି ପଦରୁ ହଟାଯିବା ଉଚିତ୍। ବିଜେପିର ବିଧାୟକ ହରିଶ ଭୂଷଣ ଠାକୁର କହିଛନ୍ତି ଯେ ଏସଏସପିଙ୍କ ବିବୃତି ତାଙ୍କ ମାନସିକ ବିକୃତ ଭାବକୁ ଦର୍ଶାଉଛି। ସେ ନିଜର ବିବୃତି ପାଇଁ ତୁରନ୍ତ କ୍ଷମା ମାଗନ୍ତୁ।ଯଦି ସେ କ୍ଷମା ନ ମାଗିବେ, ତା’ହେଲେ ସରକାର ତାଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ବୋଲି ଶ୍ରୀ ଠାକୁର ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ହେଉଛି ପୂର୍ବତନ ପୁଲିସ କର୍ମଚାରୀ। ଏହି ଆତଙ୍କୀ ନେଟୱର୍କ ଭାରତକୁ ୨୦୪୭ ସୁଦ୍ଧା ଇସଲାମିକ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲା। ସେହିପରି ଜୁଲାଇ ୧୨ରେ ମୋଦି ପାଟନା ଆସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିବାକୁ ଆତଙ୍କୀମାନେ ଯୋଜନା କରିଥିବା ପୁଲିସ କହିଛି। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ହେଲେ ଅଥର ପରଭେଜ ଓ ମହମ୍ମଦ ଜଲାଉଦ୍ଦିନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।