ଜେଲରୁ ବାହାରି ଜଜ୍‌ଙ୍କୁ ବିବାହ କରିବେ ଏସଡିଏମ ପିଙ୍କି ମୀନା

ଜୟପୁର: ହାଇୱେ କମ୍ପାନୀ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ନିଲମ୍ବିତ ରାଜସ୍ଥାନ ପ୍ରଶାସନିକ ସେବା ( ଆରଏଏସ୍)‌ ଅଫିସର ପିଙ୍କି ମୀନା ପୁଣି ଚର୍ଚ୍ଚାରେ। ତତ୍କାଳୀନ ବାନ୍ଦିକୁଇ ଏସଡିଏମ ଭାବେ କାର୍ଯ୍ୟ କରୁଥିବା ପିଙ୍କି ଘଟଣା ପରେ ଜେଲରେ ଥିଲେ। ହେଲେ ବାହାଘର ପାଇଁ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ଜାମିନ ଦେଇଛନ୍ତି।

ସେ ବାହାଘର ପାଇଁ ୧୦ ଦିନିଆ ଜାମିନ ପାଇଛନ୍ତି। ଆସନ୍ତା ୧୬ ତାରିଖରେ ତାଙ୍କ ବାହାଘର। ସେ ୨୧ ତାରିଖରେ ପୁଣି କୋର୍ଟରେ ଆତ୍ମସମର୍ପଣ କରିବେ। ଏହାର ଅର୍ଥ ପିଙ୍କି ବାହାଘର ପାଇଁ ନିଜର ଘରକୁ ତ ଯିବେ, ହେଲେ ବାହାଘରର ମାତ୍ର କିଛି ଦିନ ପରେ ପୁଣିଥରେ ଜେଲକୁ ଫେରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଜେଲରୁ ବାହାରି ପିଙ୍କି ଜଣେ ଜଜଙ୍କୁ ବିବାହ କରିବେ। ଦୀର୍ଘ ଦିନ ହେଲା ପିଙ୍କ ଓ ଉକ୍ତ ଜଜ୍ ପରସ୍ପରକୁ ଭଲ ପାଉଥିଲେ ବୋଲି ଜଣାପଡ଼ିଛି।

ହାଇକୋର୍ଟ ପିଙ୍କିଙ୍କ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି, ୨୧ ଫେବୃଆରୀରେ ତାଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ମାମଲାର ଶୁଣାଣି ୨୨ ତାରିଖରେ କରାଯିବ। ଜାମିନର ଶୁଣାଣି ବେଳେ ଏହାକୁ ସରକାରୀ ଓକିଲ ବିରୋଧ କରିଥିଲେ। ସେ କହିଥିଲେ ଯେ ପିଙ୍କି ଜାମିନରେ ଗଲେ ତଦନ୍ତ କାର୍ଯ୍ୟ ପ୍ରଭାବିତ ହୋଇପାରେ। ତେବେ କୋର୍ଟ ପିଙ୍କିଙ୍କୁ ୧୦ ଦିନିର ଜାମିନ ଦେଇଛନ୍ତି।

ପିଙ୍କିଙ୍କ ବିବାହ ରାଜସ୍ଥାନ ନ୍ୟାୟିକ ସେବା(ଆରଜେଏସ)ର ଅଧିକାରୀ ଅର୍ଥାତ ଜଣେ ଜଜଙ୍କ ସହ ହେଉଛି। ୧୨ ଫେବୃଆରୀରୁ ବିବାହ ରୀତିନୀତି ହେବ ଓ ୧୬ରେ ହାତଗଣ୍ଠି ପଡ଼ିବ। ପିଙ୍କି ମୀନାଙ୍କ ଘର ଚୌମୁର ଚିଥବାଡି ଗାଁରେ। ସରକାରୀ ସ୍କୁଲରେ ପାଠପଢ଼ା ଶେଷ କରିଥିବା ପିଙ୍କିଙ୍କ ବାପା ଜଣେ ଚାଷୀ।

ସେ ପ୍ରଥମ ଉଦ୍ୟମରେ ହିଁ ଆରଏଏସ୍‌ ପରୀକ୍ଷାରେ ପାସ୍‌ କରିଥିଲେ। କିନ୍ତୁ ତାଙ୍କ ବୟସ ସେତେବେଳେ ୨୧ ଥିବାରୁ ସେ ଇଣ୍ଟରଭ୍ୟୁ ଦେଇ ପାରି ନଥିଲେ। ୨୦୧୬ରେ ସେ ପୁଣିଥରେ ମେରିଟ ସହ ପାସ୍‌ କରିଥିଲେ। ଜାନୁଆରୀ ୧୫ରେ ପିଙ୍କି ଦିଲ୍ଲୀ -ମୁମ୍ବାଇ ଏକ୍ସପ୍ରେସ ୱେ ନିର୍ମାଣ କରୁଥିବା କମ୍ପାନୀର ପ୍ରତିନିଧିଙ୍କ ଠାରୁ ପିଙ୍କି ୧୦ ଲକ୍ଷ ଟଙ୍କାର ଲାଞ୍ଚ ମାଗୁ ଥିବା ବେଳେ ଗିରଫ ହୋଇଥିଲେ।

ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ସେହିପରି ତାଙ୍କୁ ଜେଲକୁ ମଧ୍ୟ ପଠାଇ ଦିଆଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।