ଫୋନରେ କଥା ହେଲେ ମୋଦି ଓ ଜୋ ବାଇଡେନ

ନୂଆଦିଲ୍ଲୀ: ଭାରତକୁ ଟିକା ତିଆରି ପାଇଁ ଆମେରିକା ଆବଶ୍ୟକ କଞ୍ଚା ମାଲ ପଠାଇବ। ଆମେରିକାର ଏହି ଘୋଷଣା ପରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପରସ୍ପର ସହ ଫୋନରେ କଥା ହୋଇଛନ୍ତି।

ଭାରତର କରୋନା ସ୍ଥିତି ସମ୍ପର୍କରେ ମୋଦି ବିସ୍ତୃତ ଭାବେ ବାଇଡେନଙ୍କୁ କହିଛନ୍ତି। ବାଇଡେନ ମଧ୍ୟ ଭାରତର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ପ୍ରକାରର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ମୋଦି ଟ୍ୱିଟ କରି କହିଛନ୍ତି, “ଆଜି ବାଇଡେନଙ୍କ ସହ କଥା ହୋଇଛି। ଆମେ ଉଭୟ ଦେଶର କରୋନା ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଆମେରିକା ତରଫରୁ ଭାରତକୁ ସହାୟତା ଯୋଗାଇ ଦିଆଯାଇଥିବାରୁ ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛି ”


ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଆମେରିକାରୁ ଆସିଥାଏ। ତେବେ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଆମେରିକା ପ୍ରଥମେ ରୋକ ଲଗାଇଥିଲା। ତେବେ ଗତକାଲି ଆମେରିକା ପକ୍ଷରୁ ଏହି ପ୍ରତିବନ୍ଧକକୁ ଉଠାଇ ଦିଆଯାଇଥିଲା।

ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ରବିବାର ଆମେରିକା ଓ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ପରସ୍ପର ସହ ଫୋନରେ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିଥିଲେ। ଏହପରେ ଆମେରିକା ପକ୍ଷରୁ ଟିକାର କଞ୍ଚାମାଲ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଥିଲା। ଆମେରିକାର ଏହି ସହଯୋଗ ପରେ ଭାରତରେ ଏବେ କୋଭିସିଲ୍ଡ ଟିକା ଅଧିକରୁ ଅଧିକ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।