‘ବିଜେପି ଓ ଦେଶକୁ ମଜବୁତ କରନ୍ତୁ’ ଦଳୀୟ ପାଣ୍ଠିକୁ ୧୦୦୦ ଟଙ୍କା ଦାନ କଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୀୟଙ୍କ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ମାଇକ୍ରୋ ଡୋନେସନ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦୀନ ଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ଅର୍ଥାତ ଫେବୃଆରୀ ୧୧ ଯାଏ ଚାଲିବ। ଏହି ସମୟରେ ଲୋକମାନେ ବିଜେପି ପାଣ୍ଠିକୁ ୫ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ଯାଏ ଦାନ କରିପାରିବେ। ଲୋକମାନେ ଚାହିଁଲେ ନମୋ ଆପ ଜରିଆରେ ମଧ୍ୟ ଚାନ୍ଦା ଦେଇ ପାରିବେ।

ଏହି ଅଭିଯାନର ଆରମ୍ଭ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପାଣ୍ଠିକୁ ୧ ହଜାର ଟଙ୍କା ଦାନ କରିଛନ୍ତି। ଏଥିସହ ସେ ଲୋକମାନଙ୍କୁ ଦାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଗୋଟିଏ ଟ୍ୱିଟରେ ମୋଦି କହିଛନ୍ତି, ସେ ବିଜେପି ପାଣ୍ଠିକୁ ସେ ୧୦୦୦ ଟଙ୍କା ଦାନ କରିଛନ୍ତି। ବିଜେପି ଓ ଦେଶକୁ ସୁଦୃଢ଼ କରିବା ପାଇଁ ଅନ୍ୟମାନେ ମଧ୍ୟ ସାହାଯ୍ୟ କରନ୍ତୁ।


ମୋଦି ନିଜ ଟ୍ୱିଟରେ ୧୦୦୦ ଟଙ୍କା ଦାନ କରିଥିବାର ଗୋଟିଏ ରସିଦ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଇ-ମେଲ, ମୋବାଇଲ ନମ୍ବର, ସ୍ଥାୟୀ ଆକାଉଣ୍ଟ ନମ୍ବର କିମ୍ବା ପାନ ନମ୍ବର ଗୋପନୀୟତା ଦୃଷ୍ଟିରୁ ଲୁଚାଇ ଦିଆଯାଇଛି। ଦାନର କାରଣ ଭାବେ ପାର୍ଟି ଫଣ୍ଡ ଲେଖାଯାଇଛି। ଏହି ଦାନ ପାଇଁ ଟିକସ ଦେବାକୁ ମଧ୍ୟ ପଡ଼ିବନି।

କେବଳ ମୋଦି ନୁହନ୍ତି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆଜି ଦଳୀୟ ପାଣ୍ଠିକୁ ୧ ହଜାର ଟଙ୍କା ଦାନ କରିଛନ୍ତି। ସେ ନମୋ ଆପ୍‌ରେ ଏପରି ଅର୍ଥ ଦାନ କରିଛନ୍ତି। ସେ ଲୋକମାନଙ୍କୁ ଅର୍ଥ ଦାନ କରି ବିଜେପି କରୁଥିବା ସେବାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ନମୋ ଆପ୍‌ରେ ଥିବା ରେଫରାଲ କୋଡ୍‌ରେ ଜଣେ ବିଜେପି ପାଣ୍ଠିକୁ ଟଙ୍କା ପଠାଇ ପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।