ଗଲୱାନ ଘାଟି ସଂଘର୍ଷ ପରେ ପ୍ରଥମଥର ହାତ ମିଳାଇଲେ ମୋଦି-ଜିନପିଙ୍ଗ

ବାଲି: ଲଦାଖ ସୀମା ବିବାଦ ଓ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ହାତ ମିଳାଇଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଉଭୟ ଦେଶର ନେତା ଇଣ୍ଡୋନେସିଆର ବାଲିରେ ଉପସ୍ଥିତ ରହିଛନ୍ତି।

ଆଜି ବିଶ୍ୱ ନେତାଙ୍କ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ଡିନର ପାର୍ଟିରେ ମୋଦି ଓ ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି। ବେଶ କିଛି ମିନିଟ୍‌ ପାଇଁ ଉଭୟ ନେତା କଥା ହେଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏହି ଡିନିର ପାର୍ଟିରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନଙ୍କୁ ମଧ୍ୟ ଭେଟିଛନ୍ତି।

ଆଜି ଡିନର ପାର୍ଟିରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲେ ମଧ୍ୟ ଉଭୟ ଦେଶ ଭିତରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନାର ପ୍ରସ୍ତାବ ନାହିଁ।

ଏହାପୂର୍ବରୁ ମୋଦି ଓ ଜିନପିଙ୍ଗ ସମରକନ୍ଦରେ ଆୟୋଜିତ ଏସ୍‌ସିଓ ବୈଠକରେ ଯୋଗ ଦେଇଥିଲେ। ଲଦାଖ ବିବାଦ ପରେ ଦୁଇ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। କିନ୍ତୁ ସେହି ସମୟରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା କିମ୍ବା ହ୍ୟାଣ୍ଡଶେକ ହୋଇ ନଥିଲା। ଏବେ କିନ୍ତୁ ଜି-୨୦ ସମ୍ମିଳନୀରେ କିଛିଟା ପରିବର୍ତ୍ତନ ଆସିଛି।

୨୦୨୦ ଏପ୍ରିଲ ପରଠୁ ଚାଇନା ବାରମ୍ବାର ଭାରତ ସହ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଘଂନ କରିବାକୁ ଚେଷ୍ଟା ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଗଲୱାନ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କାମ ଆରମ୍ଭ ହେବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ୨୦୨୦ ମସିହା ଜୁନ୍‌ ୬ରେ ୮୦ ଜଣ ଚାଇନା ସୈନ୍ୟ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ବଫର ଜୋନ୍‌ରୁ ଉଭୟ ପକ୍ଷ ପଛକୁ ହଟିବେ ବୋଲି ସେହି ଦିନ ବୁଝାମଣା ହୋଇଥିଲା।


ହେଲେ ୨୦୨୦ ଜୁନ ୧୫ରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସୈନ୍ୟମାନେ ଚାଇନାର ଗତିବିଧି ଦେଖିବାକୁ ଯାଇଥିଲେ। ସେତେବେଳେ ଚାଇନା ସୈନ୍ୟମାନେ ହଠାତ୍‌ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ରକ୍ତାକ୍ତ ସଂଘର୍ଷ।

ଗତ ୪ ଦଶନ୍ଧିରେ ପ୍ରଥମ ଥର ପାଇଁ ଚାଇନା ଓ ଭାରତ ମଧ୍ୟରେ ଏପରି ସଂଘର୍ଷ ହୋଇଥିଲା। ଚାଇନା ଏହି ସଂଘର୍ଷରେ ତା’ର ୪ ସୈନ୍ୟ ପ୍ରାଣ ହରାଇଥିବା କହୁଥିଲା। ଏଥିସହ ଗତ ବର୍ଷ ଫେବ୍ରୁଆରୀରେ ଉକ୍ତ ୪ ଜଣଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲା। ଭାରତ ମଧ୍ୟ ୨୦ ଜଣ ବୀର ଯବାନଙ୍କୁ ହରାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।