ମୋଦିଙ୍କ ପରାମର୍ଶ କେତେ ଶୁଣିଛନ୍ତି ମନ୍ତ୍ରୀ, ମାଗିଲେ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ନିଜ ସହ ସରକାରର ଦକ୍ଷତା ବୃଦ୍ଧି ପାଇଁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଟିପ୍ସଗୁଡ଼ିକୁ ସେମାନେ କେତେ ଶୁଣିଛନ୍ତି? ମୋଦିଙ୍କ ପରାମର୍ଶକ୍ରମେ ମନ୍ତ୍ରୀମାନେ ସେ ଦିଗରେ କିଛି କାର୍ଯ୍ୟ କରିଛନ୍ତି କି? ସେକଥା ଜାଣିବା ପାଇଁ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ। ଏଥିପାଇଁ ସବୁ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମଗା ଯାଇଛି।

କିଛି ମାସ ତଳେ ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିଜର ଦକ୍ଷତା ବୃଦ୍ଧି ସହ ଉତ୍ତମ ସରକାରୀ ନୀତିକୁ ଆପଣାଇ କାର୍ଯ୍ୟ କରିବାକୁ କହିଥିଲେ। ବିଶେଷ କରି ବିଭିନ୍ନ କାମକୁ ଟିଫିନ ବୈଠକ ଦ୍ୱାରା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ପରାମର୍ଶକୁ ମନ୍ତ୍ରୀ ଓ ସେମାନଙ୍କ ବିଭାଗ କେତେ ଦୂର କାର୍ଯ୍ୟକାରୀ କରିଛନ୍ତି, ସେକଥା ଜଣାଇବାକୁ ସମସ୍ତଙ୍କୁ କୁହାଯାଇଛି।

ସରକାରୀ ସୂତ୍ର ଅନୁସାରେ, ମନ୍ତ୍ରୀ ଓ ସେମାନଙ୍କ ବିଭାଗଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ଜବାବ ଦେବାକୁ ନୋଟିସ କରାଯାଇଛି। ସରକାରୀ ଇ-ମାର୍କେଟରୁ ସେମାନଙ୍କ କେଉଁ ସବୁ ଜିନିଷ ଓ ସେବାକୁ କିଣିଛନ୍ତି? ଅଧିକାରୀମାନଙ୍କ ସହ ମନ୍ତ୍ରୀମାନେ କେତୋଟି ଟିଫିନ ବୈଠକ କରିଛନ୍ତି? ଏଥସହ ସୋଶାଲ ମିଡିଆରେ ସରକାରଙ୍କ କେଉଁ ସବୁ ନିଷ୍ପତ୍ତିକୁ ପ୍ରଚାର ପ୍ରସାର କରିଛନ୍ତି, ତା’ର କିଛି ନାଁ ଦେବାକୁ ସମସ୍ତ ମନ୍ତ୍ରୀମାନଙ୍କୁ କୁହାଯାଇଛି।

ଟିଫିନ ବୈଠକ ବ୍ୟବସ୍ଥା ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନା ଅନୁସାରେ ମନ୍ତ୍ରୀ ଓ ଅଧିକାରୀମାନେ ଖାଇବା ସମୟରେ ଏକାଠି ହେବେ। ସେମାନଙ୍କ ମଧ୍ୟରେ ଖାଦ୍ୟର ଅଦଳବଦଳ ହେବା ସହ ଉତ୍ତମ ଶାସନ ପାଇଁ କ’ଣ ସବୁ ନୂଆ ନୂଆ ଯୋଜନା ହୋଇପାରିବ, ସେବିଷୟରେ ସମସ୍ତେ ଗୋଟିଏ ‍ଫୋରମରେ କଥା ହେବେ।

ଏବେ ପ୍ରଧାନମନ୍ତ୍ରୀ ମୋଦି ସମାନ ଟିଫିନ ବୈଠକ ଅଧିକାରୀମାନଙ୍କ ସହ କରିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ। ଏହାଦ୍ୱାରା ଅଧିକାରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହେବା ସହ ଶାସନ କାର୍ଯ୍ୟକୁ ଅଧିକ ସହଜ କରାଯାଇ ପାରିବ ବୋଲି ମୋଦି ଲକ୍ଷ୍ୟ ରଖିଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାର ସମୀକ୍ଷା ଓ କାର୍ଯ୍ୟକ୍ରମର ରେଜଲ୍ଟ ସମ୍ପର୍କରେ ଜାଣିବାକୁ ବେଶି ଫୋକସ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଓ ଟିପ୍ସର ରୂପାୟନ ସମ୍ପର୍କରେ ବୈଠକ କରି ତାଲିକା ପ୍ରସ୍ତୁତ କରାଯାଇଛି। ବିଭାଗ ଗୁଡ଼ିକ ସେମାନଙ୍କ ମତାମତ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥାପନ କରିଛନ୍ତି। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଓ ସେମାନଙ୍କ ବିଭାଗ ଗୁଡ଼ିକୁ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରିବାକୁ କୁହାଯାଇଛି। ଯେମିତି କୌଣସି ତଥ୍ୟ ଲିକ୍ ହେବନି ଓ ଦୁର୍ନୀତି କରା ନଯିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି। ମନ୍ତ୍ରୀମାନେ ଅତିକମରେ ବିଭିନ୍ନ ଅଂଶିଦାରମାନଙ୍କ ସହ ମାସକୁ ଗୋଟିଏ ଥର ବୈଠକ କରିବେ ଓ ନିଜର ସୋଶାଲ ମିଡିଆରେ ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ପ୍ରଚାର କରିବେ ବୋଲି ମଧ୍ୟ ପରାମର୍ଶ ଦିଆଯାଇଥିଲା। ଲୋକମାନେ କରୁଥିବା ଅଭିଯୋଗଗୁଡ଼ିକୁ କେତେ ଦୂର ସେମାନେ ସମାଧାନ କରିଛନ୍ତି, ସେ ବିଷୟରେ ମଧ୍ୟ ରିପୋର୍ଟ ଦେବାକୁ ସମସ୍ତଙ୍କୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।