ବର୍ଷର ଶେଷ ମନ କି ବାତରେ ବାୟୁବୀର ବରୁଣ ସିଂହଙ୍କ ଚିଠିକୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ: ୨୦୨୧ ବର୍ଷର ଶେଷ ମନ କି ବାତ୍‌ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ସେ କରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଥିଲେ। ତେବେ ବର୍ଷ ଶେଷର ଏହି ମନ କି ବାତା କାର୍ଯ୍ୟକ୍ରମରେ ମୋଦି କୁନ୍ନୁର ହେଲିକପ୍ଟର କ୍ରାଶ କଥା ଉଠାଇ ଭାବବିହ୍ୱଳ ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ଅନ୍ୟମାନଙ୍କୁ […]

Group

Group

Hemant Lenka
  • Published: Sunday, 26 December 2021
  • Updated: 26 December 2021, 12:16 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୧ ବର୍ଷର ଶେଷ ମନ କି ବାତ୍‌ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ସେ କରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଥିଲେ। ତେବେ ବର୍ଷ ଶେଷର ଏହି ମନ କି ବାତା କାର୍ଯ୍ୟକ୍ରମରେ ମୋଦି କୁନ୍ନୁର ହେଲିକପ୍ଟର କ୍ରାଶ କଥା ଉଠାଇ ଭାବବିହ୍ୱଳ ହୋଇଯାଇଥିଲେ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ଅନ୍ୟମାନଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଦୁର୍ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇ ମଧ୍ୟ ପରେ ପ୍ରାଣ ହରାଇଥିବା ବାୟୁବୀର ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହଙ୍କୁ ମୋଦି ସ୍ୱତନ୍ତ୍ର ଭାବେ ମନେପକାଇଥିଲେ। ବିଶେଷ କରି ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଲେଖିଥିବା ପ୍ରେରଣାତ୍ମକ ଚିଠି ସମ୍ପର୍କରେ ମୋଦି ପୁଣିଥରେ ଦେଶବାସୀଙ୍କୁ ଜଣାଇଥିଲେ।

ଅଗଷ୍ଟ ମାସରେ ନିଜର ପରାକ୍ରମ ପାଇଁ ବରୁଣ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା। ଏହାପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପଢ଼ିଛନ୍ତି। ମୋଦି କହିଛନ୍ତି, “ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ହସ୍ପିଟାଲରେ ଥିବା ବେଳେ ସୋଶାଲ ମିଡିଆରେ ମୁଁ ଗୋଟିଏ ଚିଠି ଦେଖିଥିଲି। ଏହା ମୋ ହୃଦୟକୁ ଛୁଇଁଥିଲା। ଚଳିତ ବର୍ଷ ହିଁ ତାଙ୍କୁ ସୌର୍ଯ୍ୟ ଚକ୍ର ମିଳିଥିଲା। ଏହି ସମ୍ମାନ ପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ।

ଚିଠିକୁ ପଢ଼ିବା ପରେ ମୋ ମନକୁ ଗୋଟିଏ କଥା ଆସିଥିଲା। ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିଜର ମୂଳ ଢାଞ୍ଚାକୁ ଭୁଲି ନଥିଲେ। ଦ୍ୱିତୀୟରେ ତାଙ୍କ ପାଖରେ ମଉଜ କରିବା ପାଇଁ ସମୟ ଥିଲେ ମଧ୍ୟ ସେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଚିନ୍ତା କରୁଥିଲେ। ଏହା ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ। ହସ୍ପିଟାଲରେ ରହି ସେ ଦୀର୍ଘ ଦିନ ଜୀବନ ସହ ସଂଘର୍ଷ କରିଥିଲେ। ହେଲେ ଆମେ ସମସ୍ତେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହଙ୍କ ଭଳି ଜଣେ ବାୟୁବୀରଙ୍କୁ ହରାଇ ଦେଲୁ।”

ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ଠାରେ ଏମଆଇ-୧୭ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ଥିଲେ। ଘଟଣା ପରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ବରୁଣ ସିଂହଙ୍କୁ ଦୁର୍ଘଟଣା ସ୍ଥଳରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮ ଦିନ ଚିକିତ୍ସା ପରେ ସେ ବେଙ୍ଗାଲୁରୁ ସ୍ଥିତ ସେନା ହସ୍ପିଟାଲରେ ଆଖି ବୁଜିଥିଲେ।

ସେ ହସ୍ପିଟାଲରେ ଥିବା ବେଳେ ତାଙ୍କର ଗୋଟିଏ ଚିଠି ଭାଇରାଲ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ରେ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ ହେବା ପରେ ସେ ଜଣେ ପ୍ରାକ୍ତନ ଛାତ୍ର ଭାବେ ହରିଆଣାର ଆର୍ମି ପବ୍ଲିକ୍ ସ୍କୁଲ୍ ପ୍ରିନ୍ସପାଲ୍‌ଙ୍କୁ ୪ ପୃଷ୍ଠାର ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ। ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ, କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ। କିନ୍ତୁ ତା ମାନେ ନୁହେଁ ଯେ ପୂରା ଜୀବନ ଯାକ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି।

ଆପଣ ସ୍କୁଲପାଠରେ ସେତେ ଭଲ ହୋଇନପାରନ୍ତି, କିନ୍ତୁ ତାହା ଆପଣଙ୍କ ଆଗାମୀ ଜୀବନର ମାପଦଣ୍ଡ ନୁହେଁ। ଜୀବନକୁ ନେଇ କେବେ ବି ନିରାଶ ହେବା କଥା ନୁହେଁ। ମୁଁ ସ୍କୁଲ୍ ପାଠପଢ଼ାରେ ବି ଭଲ ନଥିଲି, ଖେଳକୁଦରେ ବି ମଧ୍ୟମ ଧରଣର ଥିଲି । କିନ୍ତୁ ବିମାନ ଉଡ଼ାଣ କୌଶଳ ଜାଣିବାକୁ ମୋର ପ୍ରବଳ ଆଗ୍ରହ ଥିଲା।

ମୁଁ ଦ୍ୱାଦଶରେ ଅଳ୍ପକେ ଫାଷ୍ଟକ୍ଲାସ୍‌ରେ ପାସ୍ କରିଥିଲି। ଏୟାର୍ ଫୋର୍ସ ଏକାଡେମୀରେ ଯୋଗଦେଲି। ତଥାପି ମୁଁ ସବୁବେଳେ ଭାବୁଥିଲି କି ମୁଁ ମଧ୍ୟମ ବର୍ଗରେ ହିଁ ରହିଯିବି। କିନ୍ତୁ ଫାଇଟର ସ୍କ୍ୱାର୍ଡର୍ନରେ ଯୁବ ଲେପ୍ଟନୋଣ୍ଟ ଭାବେ ନିଯୁକ୍ତି ହେବା ପରେ ମୁଁ ଉପଲବ୍ଧି କଲି ଯେ ଯଦି କୌଣସି କାମରେ ମନ ଧ୍ୟାନ ଦେଇ ଲାଗିଯିବି ତେବେ ଏହା ଆହୁରି ଅଧିକ ଭଲ ହୋଇପାରିବ। ଏହି ସମୟରେ ହିଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଦେଖାଯାଇଥିଲା ବୋଲି ସେ ଚିଠିରେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos