ଜାତିସଂଘରେ ମୋଦିଙ୍କ ସମ୍ବୋଧନ, ପାକ୍‌ ନାଁ ନ ନେଇ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଲେ

ମିଳିତ ଜାତିସଂଘ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏଥିସହ ବିବିଧତା ଭାରତର ଲୋକତନ୍ତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଗଣତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି ବୋଲି ସେ କହିଛନ୍ତି। ପାକିସ୍ତାନ ନାଁ ନେଇ ମୋଦି ଆତଙ୍କବାଦ ପ୍ରସଙ୍ଗରେ ଜୋରଦାର ହମଲା କରିଛନ୍ତି। ଦୁନିଆରେ ଚରମପନ୍ଥୀଙ୍କ ଦବଦବା ବଢ଼ୁଥିବା କଥା ମୋଦି ଜାତିସଂଘ ମହାସଭାରେ ଉଠାଇଛନ୍ତି।

ସେ କହିଛନ୍ତି, ଦୁନିଆ ଆଗରେ ଚରମପନ୍ଥୀଙ୍କ ବିପଦ ବଢ଼ିବାରେ ଲାଗିଛି। ବୈଜ୍ଞାନିକ ଦୃଷ୍ଟିକୋଣ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ବଢ଼ାଇବାର ଆବଶ୍ୟକତା ବଢ଼ି ଗଲାଣି। ଏହାଦ୍ୱାରା ସାରା ବିଶ୍ୱର ବିକାଶ ହୋଇପାରିବ। ଆତଙ୍କବାଦ ଏବେ ରାଜନୀତିକ ଅସ୍ତ୍ର ପାଲଟି ଗଲାଣି। କିଛି ଦେଶ ଆତଙ୍କବାଦକୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଆତଙ୍କବାଦ ଯୋଗୁ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି ହୋଇଛି। ଆତଙ୍କବାଦକୁ କେବେ ହେଲେ ଅସ୍ତ୍ର ଭାବେ ବ୍ୟବହାର କରା ନ ଯିବା ଦରକାର।

ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ମୋଦି ମିଳିତ ଜାତିସଂଘରେ ଉଠାଇଛନ୍ତି। ସେ କହିଛନ୍ତି,  “ଆଫଗାନିସ୍ତାନ ମାଟି ଯେମିତି ଆତଙ୍କବାଦୀଙ୍କ ଗତିବିଧି ଓ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବାହାର ନ ହେବ, ତା’କୁ ସୁନିଶ୍ଚିତ କରିବାକୁ ହେବ। ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଜରୁରୀ।

ବିଶେଷ କରି ମହିଳା ଓ ଶିଶୁଙ୍କ ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’କୁ ଗୁରୁତ୍ୱ ଦେବାକୁ ପଡ଼ିବ। ସାମୁଦ୍ରିକ ପଥର ଅପବ୍ୟବହାର କରା ନଯାଉ। ଏହା ବିରୋଧରେ ସମଗ୍ର ବିଶ୍ୱ ସ୍ୱର ଉଠାଇବା ଦରକାର। ମିଳିତ ଜାତିସଂଘକୁ ତା’ର ବିଶ୍ୱସନୀୟତା ବୃଦ୍ଧି କରିବାକୁ ପଡ଼ିବ।”

ମୋଦି ଆହୁରି କହିଛନ୍ତି, ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସମଗ୍ର ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ କରୁଛି। ଗଲା ୧୦୦ ଦିନ ସବୁଠାରୁ ଖରାପ ସମୟ ଥିଲା। ଆମେ ଏହି ସମୟରେ ଅନେକ ଲୋକଙ୍କୁ ହରାଇଛୁ। ଏଥିପାଇଁ ମୁଁ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ଯେତେବେଳେ ଭାରତ ବଢ଼ିବ ସେତେବେଳେ ବିଶ୍ୱ ବଢ଼ିବ। ଯେତେବେଳେ ଭାରତରେ ସୁଧାର ଆସିବ ସେତେବେଳେ ପୂରା ବିଶ୍ୱରେ ସୁଧାର ଆସିବ।

ଭାରତ ସେବା ହିଁ ପରମ ଧର୍ମକୁ ଆଧାର କରି ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛି। ଭାରତ ବିଶ୍ୱର ପ୍ରଥମ ଦେଶ ଯିଏ ଡିଏନଏ ଭିତ୍ତିକ କରୋନା ବିରୋଧୀ ଟିକା ବାହାର କରିଛି। ଏହି ଟିକା ୧୨ରୁ ସମସ୍ତ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ। mRNA ଭିତ୍ତିକ ଟିକା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।

ଭାରତୀୟ ବୈଜ୍ଞାନିକମାନେ ନାସାଲ ଭ୍ୟାକସିନ ମଧ୍ୟ ତିଆରି କରିବାକୁ ଯାଉଛନ୍ତି। ସେହିପରି ପୁଣି ଟିକାର ରପ୍ତାନୀ ମଧ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହାବାଦ ମୋଦି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଟିକା କମ୍ପାନୀଗୁଡ଼ିକୁ ଭାରତକୁ ନିମନ୍ତ୍ରଣ କରିଛନ୍ତି।

ଆତ୍ମନିର୍ଭର ଭାରତ ଓ ନିଜ ସରକାରର ଉପଲବ୍ଧି ସମ୍ପର୍କରେ ମଧ୍ୟ ମୋଦି କହିବାକୁ ଭୁଲି ନାହାନ୍ତି।  ପ୍ରଦୂଷିତ ପାଣି କେବଳ ଭାରତ ନୁହେଁ ପୂରା ବିଶ୍ୱ ବିଶେଷ କରି ଗରିବ ଓ ବିକାଶଶାଳୀ ରାଷ୍ଟ୍ରଗୁଡ଼ିକ ପାଇଁ ପ୍ରମୁଖ ସମସ୍ୟା। ଭାରତ ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମେ ୧୭ କୋଟିରୁ ଅଧିକ ଲୋକଙ୍କ ଘରକୁ ପାଇପ ଯୋଗେ ପାଣି ପହଞ୍ଚାଇବାକୁ ବିଶାଳ ଅଭିଯାନ ଆରମ୍ଭ କରିଛୁ ବୋଲି ମୋଦି ମିଳିତ ଜାତିସଂଘକୁ ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।