ଅଖିଲେଶଙ୍କ ନାଲି ଟୋପିକୁ ‘ରେଡ ଆଲର୍ଟ’ କହିଲେ, ମନଇଚ୍ଛା ବର୍ଷିଲେ ମୋଦି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ପାଣିପାଗ ମଧ୍ୟ ସେତିକି ଉଷ୍ଣ ହୋଇ ଯାଉଛି। ଏବେ ବିଜେପିର ସବୁ ହେଭିୱେଟ ପ୍ରଚାର ମୈଦାନାକୁ ଓହ୍ଲାଇବା ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ଏହି ତାଲିକାରେ ଆଜି ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଡ଼ି ହୋଇଯାଇଛନ୍ତି। ସେ ଆଜି ଅଖିଲେଶ ଓ ସପା ନେତାମାନେ ପିନ୍ଧୁଥିବା ନାଲି ଟୋପିକୁ ଟାର୍ଗେଟ କରିଛନ୍ତି। ସେମାନେ ନାଲି ଟୋପି ପିନ୍ଧୁ ଥିବାରୁ ମୋଦି ଏହାକୁ ତାଚ୍ଛଲ୍ୟ କରିଛନ୍ତି। ନାଲି ଟୋପିର ଅର୍ଥ ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ। ଏହା ଏକ ବିପଦର ସିଗ୍ନାଲ। ଏଥିସହ ସମାଜବାଦୀ ପାର୍ଟି ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ରଖିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଭାବେ ପରିଚିତ ଗୋରଖପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, “ସମଗ୍ର ୟୁପି ଜାଣିଛି ଯେ ନାଲି ଟୋପିର ନେତାମାନେ କେବଳ ନାଲି ଲାଇଟ୍‌ ପାଇଁ ବିକଳ ହୁଅନ୍ତି। ଏହି ଲୋକମାନେ କେବଳ ଦୁର୍ନୀତି କରିବା ପାଇଁ କ୍ଷମତାକୁ ଆସିବାକୁ ଚାହାନ୍ତି। ନାଲି ଟୋପି ପିନ୍ଧୁଥିବା ଲୋକମାନେ କ୍ଷମତାକୁ ଆସିଲେ ଆତଙ୍କବାଦୀଙ୍କୁ ଜେଲ୍‌ରୁ ମୁକ୍ତ କରିବେ। ନାଲି ଟୋପି ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ। ବିପଦର ଆଲାରାମ।”

ମୋଦି ଆଜି ସାରା କାରଖାନା ଓ ଗୋରଖପୁରରେ ଏମ୍ସର ଉଦଘାଟନ କରିଛନ୍ତି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଅଖିଲେଶ ଓ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି।

ମୋଦି ପୂର୍ବରୁ ୟୁପିରେ କ୍ଷମତାରେ ଥିବା ସରକାରଙ୍କୁ ମଧ୍ୟ ଏମ୍ସ ଉଦଘାଟନ କରିବା ବେଳେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସେମାନେ(ପୂର୍ବ ସରକାର) ଗୋରଖପୁର ଅଞ୍ଚଳ ପାଇଁ ସାରା କାରଖାନା କେତେ ଜରୁରୀ ସେକଥା ଭଲ ଭାବେ ଜାଣିଥିଲେ। କିନ୍ତୁ ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆଦୌ ଇଚ୍ଛା ପ୍ରକାଶ କରି ନଥିଲେ।

୨୦୧୭ ପୂର୍ବରୁ ଯେଉଁମାନେ ସବୁ ସରକାର ଗଠନ କରିଥିଲେ, ସେମାନ ଏମ୍ସ ପାଇଁ ଜମି ଦେବାରେ ବାଧକ ସାଜୁଥିଲେ। ବିଭିନ୍ନ ଆଳ ଦେଖାଇ ଜମି ଦିଆଯାଉ ନଥିଲା। ମହାମାରୀ କରୋନା ସମୟରେ ମଧ୍ୟ ଆମ ସରକାର ବିକାଶମୂଳକ କାର୍ଯ୍ୟ କରି ଚାଲିଛି। ହେଲେ କିଛି ଲୋକ ଏହାକୁ ସମାଲୋଚନା କରୁଛନ୍ତି। ସେମାନେ ଲୋହିଆଙ୍କ ଚିନ୍ତାଧାରକୁ ଭୁଲି ଯାଉଛନ୍ତି।”

ଏଥିସହ ସେ ୟୁପିରେ ଡବଲ ଇଞ୍ଜିନ ସରକାର ବିକାଶର ଗତିକୁ ଆହୁରି ତ୍ୱାରାନ୍ୱିତ କରିବ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।