ରବିବାର ସର୍ବଦଳୀୟ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂର୍ବରୁ ରବିବାର ସବୁ ବିରୋଧୀ ଦଳର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୃଷି ଆଇନ ପ୍ରତ୍ୟାହାର, ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି ଓ ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଭଳି ପ୍ରସଙ୍ଗ ଶୀତ ଅଧିବେଶନ ବେଳେ ସଂସଦକୁ ସରଗରମ କରିବେ। ସଂସଦ ପୂର୍ବରୁ ରବିବାର ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଏହି ସବୁ ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି। ରବିବାର ଦିନ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସେହିଦିନ ସେହିଦିନ ବିଜେପି ମଧ୍ୟ ସଂସଦୀୟ ଦଳ ବୈଠକ କରିବ। ଗୃହରେ ଥିବା ଏନଡିଏର ସବୁ ନେତା ଅପରାହ୍ନ ୩ଟାରେ ଏକାଠି ହୋଇ ବିରୋଧୀଙ୍କୁ ସଂସଦରେ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏହି ବୈଠକରେ ମଧ୍ୟ ମୋଦି ଯୋଗଦେବେ।
ଶୀତ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ସଂକ୍ରାନ୍ତ ବିଲ୍‌ ଆଗତ କରାଯିବ।

କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ବସିବାକୁ ଯାଉଛି। ଏହି ସମୟରେ କ୍ୟାବିନେଟ ସଦସ୍ୟମାନେ ଆଇନ ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିବେ। କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ହେଁ ଏହା ଚାଷୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସେମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହେବ, ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ପ୍ରସଙ୍ଗ କରି ସଂସଦରେ ସରକାରଙ୍କୁ ଘେରିବାକୁ ବିରୋଧୀ ଲକ୍ଷ୍ୟ ରଖିଛନ୍ତି।

ଏହାବାଦ ତ୍ରିପୁରାରେ ଦେଖାଯାଇଥିବା ହିଂସା ପ୍ରସଙ୍ଗ ଟିଏମସି ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।