ଡରାଇଲାଣି କରୋନା ସ୍ଥିତି: ୮ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଗତବର୍ଷ କରୋନାର ପ୍ରଥମ ଲହରରେ ଦେଶ ଯେତିକି ପ୍ରଭାବିତ ହୋଇ ନଥିଲା ଏବେ ତା’ଠରୁ ଅଧିକ ସଂଗୀନ ସ୍ଥିତି ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଏକ ଲକ୍ଷ ଟପି ଯାଇଛି।
କରୋନା ସ୍ଥିତି ଉଗ୍ର ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।
ରାଜ୍ୟଗୁଡ଼ିକର କରୋନା ସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମ ହିଁ ବୈଠକ ମୁଖ୍ୟ ଏଜେଣ୍ଡା ରହିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହେବ। ରବିବାର ପ୍ରଧାନମନ୍ତ୍ରୀ ମୋଦି ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏଥିରେ ଗୋଷ୍ଠୀ ସଚେତନା ଉପରେ ଧ୍ୟାନ ଦେବାକୁ ମୋଦି କହିଥିଲେ।
PM Narendra Modi to interact with Chief Ministers on COVID-19 & vaccination-related issues on 8th April, via video conferencing: Sources pic.twitter.com/JbrLj3ozJe
— ANI (@ANI) April 5, 2021
ସେହିପରି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ମହାରାଷ୍ଟ୍ର, ଛତିଶଗଡ଼ ଓ ପଞ୍ଜାବକୁ କେନ୍ଦ୍ରୀୟ ଟିମ୍ ଯିବେ।ତେଣୁ ୮ ତାରିଖ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଦରକାର ପଡ଼ିଲେ ଦେଶରେ ପୁଣି ଲକଡାଉନ ଲାଗୁ କରାଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି। ସୋଶାଲ ମିଡିଆରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଲକଡାଉନ ଟ୍ରେଣ୍ଡ କରିବା ଆରମ୍ଭ କରିଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ଛୁଇଁଛି। ବର୍ତ୍ତମାନ ଦେଶରେ ମୋଟ ୭ ଲକ୍ଷ ୪୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି। ଅନ୍ୟପଟେ ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ କରୋନାରୁ ସୁସ୍ଥ ହଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।