କରୋନା ସଂକ୍ରମଣ: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଜରୁରୀ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ: ଏକାଧିକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ଗୁଡ଼ିକ ସଂକ୍ରମଣକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଉଛନ୍ତି। ତଥାପି କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବା ପାଇଁ ଜରୁରୀ ବୈଠକ ଡାକିଛନ୍ତି। ଆସନ୍ତା ବୁଧବାର ଦିନ ୧୨.୩୦ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ଜଣାପଡ଼ିଛି।

ବର୍ଷ ଆରମ୍ଭରୁ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହୁଥିଲା। ହେଲେ ଆଜି ଦୈନିକ ସଂକ୍ରମଣ ୨୬ ହଜାର ୨୯୧ରେ ପହଞ୍ଚି ଯାଇଛି। ଏହା ୮୫ ଦିନ ମଧ୍ୟରେ ସର୍ବାଧିକ। ଏବେ ରାଜ୍ୟଗୁଡ଼ିକର କରୋନାର ସ୍ଥିତି, ଟିକାକରଣ ଓ କଟକଣା ବିଷୟରେ ଆଲୋଚନା କରିବା ପାଇଁ ମୋଦି ବୈଠକ ଡାକିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଆଗକୁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ମୋଦି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

ଗତ ୨୪ ଘଣ୍ଟାରେ କରୋନା ଆଉ ୧୧୮ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୫୮,୭୨୫ରେ ପହଞ୍ଚି ଯାଇଛି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୧୯,୨୬୨ ଥିବା ବେଳେ ଆରୋଗ୍ୟ ହାର ୯୬.୬୮%କୁ ହ୍ରାସ ପାଇଛି।

ଗତବର୍ଷ ମାର୍ଚ୍ଚ ମାସରୁ ପ୍ରଧାନମନ୍ତ୍ରୀ ଏକାଧିକ ଥର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ଉପରେ ଆଲୋଚନା କରି ଚାଲିଛନ୍ତି। ଶେଷଥର ପାଇଁ ଜାନୁଆରୀ ମାସରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।