ନୂଆଦିଲ୍ଲୀ: ପୁଣି ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଦିଲ୍ଲୀ ପୁଲିସ୍ ଶ୍ରଦ୍ଧା ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ରାଜଧାନୀର ପୂର୍ବପ୍ରାନ୍ତରୁ ସମାନ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପୁଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀଙ୍କୁ ନିଶା ବଟିକା ଦେଇ ଅଚେତ କରିବା ପରେ ତାଙ୍କୁ ପୁଅ ସହ ମିଶି ୨୨ ଖଣ୍ଡ କରି କାଟି ଦେଇଛନ୍ତି। ଏଥିସହ ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ମା’ ପୁଅ ଦୀର୍ଘ ଦିନ ଧରି ଫ୍ରିଜରେ ମଧ୍ୟ ରଖିଥିଲେ। ପର୍ଯ୍ୟାୟକ୍ରମେ ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ମା’-ପୁଅ ପୂର୍ବ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ଫିଙ୍ଗିଥିଲେ।
ସ୍ୱାମୀ ଜଣଙ୍କ ନିଜ ସାବତ ପୁଅର ସ୍ତ୍ରୀ ଅର୍ଥାତ ବୋହୂ ସହ ଅବୈଧ ସମ୍ପର୍କ ରଖିଥିଲେ। ଏଥିପାଇଁ ସାବତ ପୁଅ ଓ ତା’ର ମା’ ମିଳିତ ଭାବେ ଏପରି କାଣ୍ଡ ଘଟାଇଥିଲେ।
ଏହାପୂର୍ବରୁ ୨୮ ବର୍ଷୀୟ ଅଫତାବ ପୁନାୱାଲା ସମାନ ଷ୍ଟାଇଲରେ ନିଜ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେକୁ ୩୫ ଖଣ୍ଡ କରିଥିଲା। ଏହାପରେ ଦକ୍ଷିଣ ଦିଲ୍ଲୀର ମେହରାଉଲି ଜଙ୍ଗଲରେ ଖଣ୍ଡବିଖଣ୍ଡିତ ଅଂଶକୁ ପର୍ଯ୍ୟାୟକ୍ରମେ ଫିଙ୍ଗିଥିଲା।
ଏବେ ପୂର୍ବ ଦିଲ୍ଲୀରୁ ଜଣେ ମହିଳା ତାଙ୍କ ପୁଅଙ୍କ ସହ ମିଶି ସମାନ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି। ଜୁନ ମାସରେ ପୁଲିସ୍ ପାଣ୍ଡବ ନଗରରୁ କିଛି ଖଣ୍ଡବିଖଣ୍ଡିତ ଶରୀରର ଅଂଶ ପାଇଥିଲା। ଏହାପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ଶରୀରର ଅଂଶଗୁଡ଼ିକ ପଚି ଯାଇଥିବାରୁ ତଦନ୍ତ ଆଗକୁ ବଢ଼ି ପାରି ନଥିଲା।
ତେବେ ଶ୍ରଦ୍ଧା ୱାଲକରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ଭାବିଥିଲା ଯେ ଉକ୍ତ ଖଣ୍ଡବିଖଣ୍ଡିତ ଅଂଶ ତାଙ୍କର ହୋଇଥାଇ ପାରେ। ତେଣୁ ଘଟଣାର ପୁଣି ତଦନ୍ତ ଆରମ୍ଭ ହୋଇଥିଲା।
A woman along with her son arrested by Crime Branch in Delhi's Pandav Nagar for murdering her husband. They chopped off body in several pieces,kept in refrigerator & used to dispose of pieces in nearby ground: Delhi Police Crime Branch
(CCTV visuals confirmed by police) pic.twitter.com/QD3o5RwF8X
— ANI (@ANI) November 28, 2022
ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଖଣ୍ଡବିଖଣ୍ଡିତ ଅଂଶ ଠାବ ହୋଇଥିବା ଅଞ୍ଚଳକୁ ସଂଯୋଗ କରୁଥିବା ସିସିଟିଭିକୁ ତନତନ କରି ଯାଞ୍ଚ କରିଥିଲା। ଏହି ସମୟରେ ଜଣେ ମହିଳା ଓ ତାଙ୍କ ପୁଅ ବାରମ୍ବାର ରାତି ସମୟରେ ଗୋଟିଏ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳିଥିଲା।
ତଦନ୍ତ ପରେ ଜଣାପଡ଼ିଥିଲା ଯେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାଣ୍ଡବ ନଗରରେ ରହୁଥିବା ଅଞ୍ଜନ ଦାସ। ତାଙ୍କ ପତ୍ନୀ ପୁନମ ଓ ସାବତ ପୁଅ ଦୀପକ ହିଁ ଅଞ୍ଜନ ଦାସଙ୍କୁ ଜୁନ ମାସରେ ହତ୍ୟା କରିଥିଲେ। ସେ ବୋହୂଙ୍କ ସହ ଅବୈଧ ସମ୍ପର୍କ ରଖିଥିବାରୁ ପୁନମ ଓ ଦୀପକ ତାଙ୍କୁ ହତ୍ୟା କରିଥିଲେ।
ପ୍ରଥମେ ଦୀପକଙ୍କୁ ସେମାନେ ନିଶା ବଟିକା ଦେଇଥିଲେ। ସେ ଏହାକୁ ଖାଇ ଅଚେତ ହୋଇଯାଇଥିଲେ। ଏହାପରେ ପୁନମ ତାଙ୍କୁ ହତ୍ୟା କରିବା ସହ ପୁଅ ଦୀପକଙ୍କୁ ଡାକି ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରି କାଟି ଦେଇଥିଲେ। ଏହି ଖଣ୍ଡବିଖଣ୍ଡିତ ଅଂଶକୁ ଫ୍ରିଜରେ ରଖିବା ସହ ପର୍ଯ୍ୟାୟକ୍ରମେ ପୂର୍ବ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ରାତି ବେଳା ଫିଙ୍ଗି ଦେଇଥିଲେ।
ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ ଦୀପକ ଗୋଟିଏ ବ୍ୟାଗ ଧରି ରାତି ବେଳା ଯାଉଛନ୍ତି। ତାଙ୍କ ପଛରେ ମା’ ପୁନମ ମଧ୍ୟ ଚାଲି ଚାଲି ଯାଉଛନ୍ତି। ଦିନ ବେଳା ମଧ୍ୟ ସେମାନେ ଏକାଧିକ ଥର ଏକାଠି ବ୍ୟାଗ ଧରି ଖଣ୍ଡବିଖଣ୍ଡିତ ଅଂଶକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି।
ଡିପିପି ଅମିତ ଗୋଏଲ କହିଛନ୍ତି, ୨୦୧୬ରେ ପୁନମଙ୍କ ସ୍ୱାମୀ କାଲୁଙ୍କର ଦେହାନ୍ତ ହୋଇଥିଲା। ୨୦୧୭ରେ ସେ ଅଞ୍ଜନ ଦାସଙ୍କୁ ବିବାହ କରିଥିଲେ। ଦୀପକ ହେଉଛନ୍ତି କାଲୁଙ୍କ ପୁଅ। ଅଞ୍ଜନ ମଧ୍ୟ ପୂର୍ବରୁ ବିହାରରେ ବିବାହ କରିଥିଲେ। ତାଙ୍କର ୮ ଜଣ ସନ୍ତାନ ଅଛନ୍ତି। ବେଶ କିଛି ଦିନ ହେଲା ଅଞ୍ଜନ କୌଣସି ରୋଜଗାର କରୁ ନଥିଲେ। ଏଥିପାଇଁ ପୁନମଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ଏଥିସହ ଅଞ୍ଜନଙ୍କ ନିଜ ବୋହୂ ସହ ଅବୈଧ ସମ୍ପର୍କ ରଖିଥିବା ମଧ୍ୟ ପୁନମ ଓ ଦୀପକ ଆଶଙ୍କା କରିଥିଲେ।
ଏଥିପାଇଁ ସେମାନେ ପ୍ରଥମେ ଅଞ୍ଜନଙ୍କୁ ନିଦ ବଟିବା ମିଶାଇ ମଦ ପିଇବାକୁ ଦେଇଥିଲେ। ସେ ଅଚେତ ହୋଇଯିବାରେ ପୁନମ ଓ ଦୀପକ ତାଙ୍କ ବେକକୁ କାଟି ଦେଇଥିଲେ। ଏହାପରେ ମୃତଦେହକୁ ରକ୍ତସ୍ରାବ ବନ୍ଦ ହେବାକୁ ଗୋଟିଏ ଦିନ ଘର ଭିତରେ ରଖିଥିଲେ। ରକ୍ତ ବୋହି ଯିବା ପରେ ସେମାନେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ପୁଲିସ୍ ଅଞ୍ଜନଙ୍କ ଶରୀରର ୬ଟି ଅଂଶ ଠାବ କରିଛି। ହତ୍ୟା କରି ମୃତଦେହକୁ ସେମାନେ ଫ୍ରିଜ୍ରେ ରଖିଥିଲେ। ଦୁର୍ଗନ୍ଧ ହେବାର ଆଶଙ୍କା ଥିବାରୁ ସେମାନେ ମା’ ପୁଅ ଘରକୁ ରଙ୍ଗ କରିଥିଲେ ବୋଲି ଶ୍ରୀ ଗୋଏଲ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।