ପାଟନା: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ହୋଇଥିବା ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ପାଟନାରେ ମୋଦିଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ହେଉଛି ପୂର୍ବତନ ପୁଲିସ କର୍ମଚାରୀ। ଏହି ଆତଙ୍କୀ ନେଟୱର୍କ ଭାରତକୁ ୨୦୪୭ ସୁଦ୍ଧା ଇସଲାମିକ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲା। ସେହିପରି ଜୁଲାଇ ୧୨ରେ ମୋଦି ପାଟନା ଆସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିବାକୁ ବି ଆତଙ୍କୀମାନେ ଯୋଜନା କରିଥିବା ପୁଲିସ କହିଛି। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ହେଲେ ଅଥର ପରଭେଜ ଓ ମହମ୍ମଦ ଜଲାଉଦ୍ଦିନ।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଆତଙ୍କୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିହାର ଗସ୍ତର ୧୫ ଦିନ ପୂର୍ବରୁ ଫୁଲୱାରି ସରିଫରେ ହମଲା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥିଲା। ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ସେମାନେ ଜୁଲାଇ ୬ ଓ ୭ରେ ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତେବେ ବିହାର ପୁଲିସ୍ ଖବର ପାଇ ଦୁଇ ଆତଙ୍କୀଙ୍କ ଫୁଲୱାରି ସରିଫ ଅଫିସରେ ରେଡ କରି ସବୁ ଯୋଜନାର ପର୍ଦ୍ଦାଫାସ କରିଛି।
ରେଡ ବେଳେ ଅଫିସରୁ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ମିଳିଛି। ସେହିପରି ୨୦୪୭ ସୁଦ୍ଧା ଭାରତରେ ଇସଲାମିକ ଶାସନ ଚାଲିବ ବୋଲି ଗୋଟିଏ ଦସ୍ତାବିଜକୁ ପୁଲିସ ଠାବ କରିଛି। ଗିରଫ ଦୁଇ ବ୍ୟକ୍ତିଙ୍କ ଠାରୁ ୨୫ଟି ପିଏଫଆଇ ପାମଫ୍ଲେଟ ମିଳିଛି। ପାଟନାର ଫୁଲୱାରି ସରିଫ ଅଞ୍ଚଳରେ ଆତଙ୍କୀ ନେଟୱର୍କ ସକ୍ରିୟ ହୋଇଥିବା ପ୍ରଥେମ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା।
ଏହାପରେ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଜୁଲାଇ ୧୧ରେ ନୟା ଟୋଲା ଅଞ୍ଚଳରେ ରେଡ କରିଥିଲେ। ଏହି ସମୟରେ ପରଭେଜ ଓ ଜଲାଉଦ୍ଦିନକୁ ଗିରଫ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏଠାକୁ ଆସୁଥିବା ଅଧିକାଂଶ ଯୁବକଙ୍କ ଘର କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡୁରେ। ସେହିପରି ଆଉ କିଛି ରାଜ୍ୟରୁ ମଧ୍ୟ ଯୁବକ ଏଠାକୁ ଆତଙ୍କୀ ହମଲାର ତାମିଲ ନେବାକୁ ଆସୁଥିଲେ।
ଗିରଫ ପରଭେଜ ଓ ଜଲାଉଦ୍ଦିନ ପାକିସ୍ତାନ, ବଂଲାଦେଶ, ତୁର୍କୀ ଭଳି ଅନେକ ବିଦେଶୀ ରାଷ୍ଟ୍ରରୁ ପାଣ୍ଠି ପାଉଥିଲେ। ଏମାନେ ଭାରତରେ ରହି ଦେଶ ବିରୋଧୀ ଅଭିଯାନର ପ୍ରଚାର ପ୍ରସାର କରିବାର ଦାୟିତ୍ୱ ପାଇଥିଲେ। ଗିରଫ ଜଲାଉଦ୍ଦିନ ହେଉଛି ଝାରଖଣ୍ଡର ପୂର୍ବତନ ପୁଲିସ ଅଫିସର। ସେ ପରଭେଜ ସହ ମିଶି ସବୁ କାମ କରୁଥିଲା।
ସେମାନଙ୍କ ସମ୍ପର୍କ ପିଏଫଆଇ ସହ ରହିଛି। ଜଲାଉଦ୍ଦିନ ପୂର୍ବରୁ ସିମି ସହ ବି ରହିଥିଲା। ସେମାନେ ଯୁବକମାନଙ୍କୁ କେମିତି ଖଣ୍ଡା ଓ ଛୁରୀର ବ୍ୟବହାର କରିବେ ତା’ର ତାଲିମ ଦେଉଥିଲେ। ସେହିପରି ସାଂପ୍ରଦାୟିକ ଦଙ୍ଗା କରିବାକୁ ଉସକାଉଥିଲେ। ବାହାର ରାଜ୍ୟରୁ ବିହାରକୁ ଆସୁଥିବା ଲୋକମାନେ ହୋଟେଲରେ ରହୁଥିଲେ। ଏହି ସମୟରେ ସେମାନେ ନକଲି ପରିଚୟପତ୍ର ଦେଉଥିବା ପୁଲିସ କହିଛି। ଏବେ ଘଟଣାର ତଦନ୍ତ ବିହାର ପୁଲିସ ସହ ଏନଆଇଏ ମଧ୍ୟ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।