କୋଲକାତା: ବିଜେପି ଯୁବ ମୋର୍ଚ୍ଚାର ନେତ୍ରୀ ପାମେଲା ଗୋସ୍ୱାମୀଙ୍କ ଠାରୁ କୋକେନ ମିଳିବା ପରେ ପୁଲିସ୍ ଏବେ ଆକ୍ସନ ମୋଡକୁ ଚାଲି ଆସିଛି। ତାଙ୍କୁ ବୟାନକୁ ଆଧାର କରି ଆଜି କୋଲକାତା ପୁଲିସ୍ ବେଙ୍ଗଲ ବିଜେପି ୟୁନିଟର କମିଟି ସଦସ୍ୟ ରାକେଶ ସିଂହ ଘରେ ରେଡ୍ କରିଛି।
ପାମେଲାଙ୍କୁ ୧୦୦ ଗ୍ରାମ କୋକେନ ସହ ଗିରଫ କରାଯିବା ପରେ ସେ ରାକେଶ ସିଂହଙ୍କ ନାଁ ନେଇଥିଲେ। ଏହାପରେ ଆଜି କୋଲକାତା ପୁଲିସ୍ର ଦୁଇଟି ଟିମ ରାକେଶଙ୍କ ଘରେ ରେଡ୍ ପାଇଁ ପହଞ୍ଚିଥିଲା। ହେଲେ ତାଙ୍କ ଘର ଲୋକ ପୁଲିସ୍କୁ ସର୍ଚ୍ଚ ୱାରେଣ୍ଟ ମାଗି ବାହାରେ ଦୀର୍ଘ ସମୟ ଅଟକାଇଥିଲେ। ବହୁ ଯୁକ୍ତିତର୍କ ପରେ ପୁଲିସ୍ ରାକେଶଙ୍କ ଘରେ ପ୍ରବେଶ କରିଥିଲା।
ଏହି ରେଡ୍ରେ ନ୍ୟୁ ଅଲୀପୋରେ ପୁଲିସ୍ ଷ୍ଟେସନର ଆଣ୍ଟି ନାର୍କୋଟିକ୍ସ ଓ ଡିଟେକ୍ଟଟିଭ ବିଭାଗର ଆଣ୍ଟି ରାୱଡି ସେକ୍ସନର ସଦସ୍ୟମାନେ ସାମିଲ ଥିଲେ। ଉଭୟ ସେକସନ୍ସର ଏସିପିମାନେ ମଧ୍ୟ ରେଡ୍ ବେଳେ ଉପସ୍ଥିତ ରହିଥିଲେ। ପାମେଲା ଗୋସ୍ୱାମୀଙ୍କ ମାମଲାରେ ରାକେଶଙ୍କ ନାଁ ସାମ୍ନାକୁ ଆସିଥିଲା।
ଏହାପରେ ପୁଲିସ୍ ତାଙ୍କୁ ବୟାନ ରେକର୍ଡ କରିବାକୁ ଡାକିଥିଲା। କିନ୍ତୁ ସେ ଫେବୃଆରୀ ୨୬ ପୂର୍ବରୁ କେଉଁ ଆଡ଼େ ଯାଇ ପାରିବେ ନାହିଁ ବୋଲି କହିଥିଲେ। ସେ ପୁଲିସ୍ କମିଶନରଙ୍କୁ ଇ-ମେଲ କରି ମାନହାନୀ କେସ୍ କରିବେ ବୋଲି ଧମକ ବି ଦେଇଥିଲେ। ସେହିପରି ଗିରଫ ପାମେଲା ତାଙ୍କ ନାଁ ଆଦୌ ନେଇ ନଥିବା ସେ ଇ-ମେଲରେ ଦାବି କରିଥିଲେ। ଏସବୁ ଭିତରେ ପୁଲିସ୍ ତାଙ୍କ ଘରେ ଆଜି ରେଡ୍ କରିଛି।
ଫେବୃଆରୀ ୧୯ରେ କୋଲକାତାର ନ୍ୟୁ ଅଲୀପୋରା ଅଞ୍ଚଳରୁ ପୁଲିସ୍ ପାମେଲାଙ୍କ ଗାଡ଼ି ଓ ବ୍ୟାଗ୍ରୁ ୧୦୦ ଗ୍ରାମ କୋକେନ ଜବତ କରିଥିଲା। ଏହି ଘଟଣାରେ ତାଙ୍କୁ ଓ ତାଙ୍କ ବନ୍ଧୁ ପ୍ରବୀର କୁମାର ଦେଙ୍କୁ ପୁଲିସ୍ ଗିରଫ କରିଥିଲା। ଏହାପରେ ପରେ ପାମେଲା ଗୋସ୍ୱାମୀଙ୍କୁ କୋଲକାତାର ଏନଡିପିଏସ କୋର୍ଟ ଫେବୃଆରୀ ୨୫ ଯାଏ ପୁଲିସ୍ ହେପାଜତକୁ ପଠାଇ ଦେଇଥିଲେ।
ତାଙ୍କୁ ୨୦ ତାରିଖରେ କୋର୍ଟରୁ ଅଣା ଯାଉଥିବା ବେଳେ ସେ ପୂରା ଘଟଣାର ସିଆଇଡି ତଦନ୍ତ ପାଇଁ ଦାବି କରିଥିଲେ। ତାଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ଏପରି କି ବିଜେପି ନେତା ରାକେଶ ସିଂହ ଲୋକ ଲଗାଇ ତାଙ୍କୁ ଫସାଇ ଦେଇଥିବା ପାମେଲା କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।