ଖୋଜୁଛି ପୁଲିସ୍‌, ଗିରଫ ହେବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: ଚାଷୀଙ୍କ ଆନ୍ଦୋଳନ ବେଳେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ଅଡ଼ୁଆ ବଢ଼ିଛି। ଚାରିଆଡ଼ୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ଉତ୍ତର ପ୍ରଦେଶ ପୁଲିସ୍‌ ଏବେ ଆଶିଷଙ୍କୁ ଗିରଫ କରିବାକୁ ଅଣ୍ଟା ଭିଡ଼ିଛି। ତାଙ୍କୁ ବର୍ତ୍ତମାନ ପୁଲିସ୍‌ ଖୋଜୁଛି ଓ ଖୁବଶୀଘ୍ର ସେ ଗିରଫ ହେବେ ବୋଲି ଉତ୍ତର ପ୍ରଦେଶ ଆଇଜି ଲକ୍ଷ୍ମୀ ସିଂହ ଆଜି ସୂଚନା ଦେଇଛନ୍ତି। ଲକ୍ଷ୍ନୌ […]

UP

UP

Hemant Lenka
  • Published: Thursday, 07 October 2021
  • Updated: 07 October 2021, 12:49 PM IST

ଲକ୍ଷ୍ନୌ: ଚାଷୀଙ୍କ ଆନ୍ଦୋଳନ ବେଳେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ଅଡ଼ୁଆ ବଢ଼ିଛି। ଚାରିଆଡ଼ୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ଉତ୍ତର ପ୍ରଦେଶ ପୁଲିସ୍‌ ଏବେ ଆଶିଷଙ୍କୁ ଗିରଫ କରିବାକୁ ଅଣ୍ଟା ଭିଡ଼ିଛି। ତାଙ୍କୁ ବର୍ତ୍ତମାନ ପୁଲିସ୍‌ ଖୋଜୁଛି ଓ ଖୁବଶୀଘ୍ର ସେ ଗିରଫ ହେବେ ବୋଲି ଉତ୍ତର ପ୍ରଦେଶ ଆଇଜି ଲକ୍ଷ୍ମୀ ସିଂହ ଆଜି ସୂଚନା ଦେଇଛନ୍ତି।

ଲକ୍ଷ୍ନୌ ରେଞ୍ଜ ଆଇଜି ଲକ୍ଷ୍ମୀ ସିଂହ କହିଛନ୍ତି, ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ରୁଜୁ ଏଫଆଇଆରର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ର। ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିବାରୁ ତାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଏହି ଘଟଣାକୁ ନେଇ ରୁଜୁ ଏଫଆଇଆର୍‌ରେ କୁହାଯାଇଛି ଯେ ଆଶିଷ ମିଶ୍ର ଘଟଣା ଦିନ ସେଠାରେ ଉପସ୍ଥିତ ଥିଲେ ଓ ସେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ରବିବାର ପ୍ରାୟ ୩ଟା ବେଳେ ଆଶିଷ ମିଶ୍ର ୧୫ରୁ ୨୦ ଜଣ ସମର୍ଥକଙ୍କ ସହ ୩ଟି ଗାଡ଼ିରେ ଚାଷୀମାନେ ଆନ୍ଦୋଳନ କରୁଥିବା ବନବରରପୁର ଠାରେ ପହଞ୍ଚିଥିଲେ। ଏହାପରେ ମନୁ ମିଶ୍ର ଗୁଳି ମାଡ଼ କରିଥିବା ବେଳେ ଆଶିଷ ମହିନ୍ଦ୍ରା ଥର ଗାଡ଼ିର ବାମ ସିଟ୍‌ରେ ବସିଥିଲେ। ଏହି ମହିନ୍ଦ୍ରା ଥର ଜିପ ହିଁ ଚାଷୀଙ୍କ ଉପରେ ଚଢ଼ି ଆଗକୁ ମାଡ଼ି ଯାଇଥିଲା ବୋଲି ଏଫଆଇଆର୍‌ରେ ଉଲ୍ଲେଖ କରଯାଇଛି।

ଏବେ ଆଇଜି ଲକ୍ଷ୍ମୀ କହିଛନ୍ତି, ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ପ୍ରୟାସ କରାଯାଉଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଓ ସୂଚନାକୁ ମଧ୍ୟ ଯାଞ୍ଚ କରାଯାଉଛି। ଖୁବଶୀଘ୍ର ସବୁ କିଛି ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରବିବାର ଘଟିଥିବା ହିଂସା ଘଟଣାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘଟଣାର ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରିଛନ୍ତି। ଏହି କମିଟି ପୂରା ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବ।

ସୂଚନାଯୋଗ୍ୟ, ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି।

ଚାଷୀମାନେ ଘଟଣାସ୍ଥଳରେ ଆଶିଷ ଥିବା କହୁଥିଲେ ହେଁ ଏହାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଖଣ୍ଡନ କରିଛନ୍ତି। ଆଶିଷ ମଧ୍ୟ ଘଟଣା ବେଳେ ସେ ଆଉ ଗୋଟିଏ କାର୍ଯ୍ୟକ୍ରମରେ ଥିଲେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos