ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ତାଙ୍କୁ ଗତକାଲି ଠାରୁ ହିଁ ଭେଣ୍ଟିଲେଟରରେ ରଖାଯାଇଛି। ସେ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ବ୍ରେନ ସର୍ଜରୀ କରିବା ପରେ ଏଭଳି ଅବସ୍ଥାରେ ରହିଛନ୍ତି।

୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମଧ୍ୟାହ୍ନରେ ଏହି ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବ୍ରେନ ସର୍ଜରୀ ପାଇଁ ଆସିଥିଲେ ହେଁ ପ୍ରୋଟକଲ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତଥାପି ତାଙ୍କର ସର୍ଜରୀ କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟରରେ ହିଁ ଅଛନ୍ତି।

ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଉଛି ଯେ ସୋମବାର ମଧ୍ୟାହ୍ନ ୧୨.୦୭ରେ ଶ୍ରୀ ମୁଖାର୍ଜୀ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ହସ୍ପିଟାଲ ସ୍ଥିତ ଆର୍ମି ହସ୍ପିଟାଲରେ ଆଡମିଟ ହୋଇଥିଲେ। ତାଙ୍କ ମୁଣ୍ଡରେ ରକ୍ତ କଣିକା କ୍ଲଟ କରି ଯାଇଥିବାରୁ ଏହାର ଅପରେସନ କରାଯାଇଥିଲା।

ସର୍ଜରୀ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି ଓ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏକାଧିକ ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଶ୍ରୀ ମୁଖାର୍ଜୀ ୨୦୧୨ରୁ ୨୦୧୭ ଯାଏ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ