ପାଣାଜୀ: ଦେଶରେ ପ୍ରଥମଥର ପାଇଁ ଗୋଟିଏ ଅସାଧାରଣ ଘଟଣା ଘଟିଛି। ପୂର୍ବରୁ ଆପଣ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ବ୍ୟକ୍ତିବିଶେଷଙ୍କୁ ‘ଜୀବନବ୍ୟାପୀ’ ପୁରସ୍କାର ମିଳିଥିବା ଆପଣ ଦେଖଥିବେ। ହେଲେ ରାଜନୀତିରେ ସମ୍ଭବତଃ ପ୍ରଥମଥର ପାଇଁ କୌଣସି ନେତାଙ୍କୁ ଜୀବନବ୍ୟାପୀ କ୍ୟାବିନେଟ ମାନ୍ୟତା ମିଳିଛି।
ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପସିଂହ ରାଣେଙ୍କୁ ଜୀବନବ୍ୟାପୀ କ୍ୟାବିନେଟ ମାନ୍ୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଏପରି ନିଷ୍ପତ୍ତି ହୋଇଛି।
ଶ୍ରୀ ରାଣେ ବର୍ତ୍ତମାନ କଂଗ୍ରେସର ବିଧାୟକ ରହିଛନ୍ତି। ସେ ପୋରିଇମ ନିର୍ବାଚନ ମଣ୍ଡଳରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି, “ଶ୍ରୀ ରାଣେଙ୍କୁ ସ୍ଥାୟୀ କ୍ୟାବିନେଟ ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି। ସେ ରାଜ୍ୟର ସବୁଠାରୁ ବରିଷ୍ଠ ବିଧାୟକ। ଗୋଆର ସେବା ସେ ଦୀର୍ଘ ବର୍ଷ ହେଲା କରି ଚାଲିଛନ୍ତି। ସେ ସବୁବେଳେ ଗୋଆବାସୀଙ୍କ ପ୍ରେରଣା ହୋଇ ରହିଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ତାଙ୍କ ସହଯୋଗ ସବୁବେଳେ କାମନା କରୁଛି।”
ଶ୍ରୀ ରାଣେ ଏଥରକୁ ମିଶାଇ ୫୦ ବର୍ଷ ଧରି ବିଧାୟକ ଭାବେ କାମ କରିବାର ରେକର୍ଡ କରିଛନ୍ତି। ଯେଉଁ ରାଜନେତାମାନେ ବିଧାୟକ ଭାବେ ୫୦ ବର୍ଷ କାର୍ଯ୍ୟକାଳ ପୂରଣ କରିବେ, ସେମାନଙ୍କୁ ଜୀବନବ୍ୟାପୀ କ୍ୟାବିନେଟ ମାନ୍ୟତା ଦେବାକୁ ଗୋଆ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ଧାରା ପ୍ରତାପସିଂହ ରାଣେଙ୍କ ପାଖରୁ ଆରମ୍ଭ ହୋଇଛି। ଆଗକୁ ଏହା ଜାରି ରହିବ।
Our Government has decided to grant lifelong Cabinet status to the senior most legislator, Shri Pratapsingh Rane ji, for his great service to the State of Goa. He has held the topmost positions in the state as the Chief Minister and Speaker of Goa Legislative Assembly. 1/2 pic.twitter.com/K3qKbQ2vne
— Dr. Pramod Sawant (@DrPramodPSawant) January 6, 2022
୮୭ ବର୍ଷୀୟ ଶ୍ରୀ ରାଣେ ୧୯୮୭ରୁ ୨୦୦୭ ମଧ୍ୟରେ ୪ ଥର ବିଭିନ୍ନ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏପରି କି ସେ ଗୋଆ ବିଧାନସଭାର ବାଚସ୍ପତି ମଧ୍ୟ ରହିଥିଲେ। ତେଣୁ ଗୋଆ ସରକାର ତାଙ୍କୁ ଜୀବନବ୍ୟାପୀ କ୍ୟାବିନେଟ ମାନ୍ୟତା ଦେଇଛନ୍ତି।
ବର୍ତ୍ତମାନ ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବିଶ୍ୱଜିତ ରାଣେ ହେଉଛନ୍ତି ପ୍ରତାପସିଂହଙ୍କ ପୁଅ। ଗୋଆ ସରକାର ତାଙ୍କ ବାପାଙ୍କୁ ଏତେ ବଡ଼ ସମ୍ମାନରେ ସମ୍ମାନୀତ କରିଥିବାରୁ ବିଶ୍ୱଜିତ ମୁଖ୍ୟମନ୍ତ୍ରୀ ସାୱନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।