ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପିକେ ସିହ୍ନା ଆଜି ହଠାତ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହଠାତ୍‌ କାହିଁକି ଇସ୍ତଫା ଦେଲେ, ସେକଥା ଜଣାପଡ଼ି ନଥିଲେ ହେଁ ବ୍ୟକ୍ତିଗତ କାରଣ ପାଇଁ ସେ ପଦ ଛାଡ଼ିଥିବା କୁହାଯାଉଛି। ଶ୍ରୀ ସିହ୍ନା ମୋଦି ସରକାରରେ କ୍ୟାବିନେଟ୍‌ ସଚିବ ପାହ୍ୟାରେ ରହିଥିଲେ।

୨୦୧୯ ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୭୮ ମସିହାର ଅବସରପ୍ରାପ୍ତ ଆଇଏସ ଅଫିସର ପିକେ ସିହ୍ନା କ୍ୟାବିନେଟ ସଚିବ ହେବା ପୂର୍ବରୁ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ। ଅର୍ଥନୀତିରେ ପିଜି କରିଥିବା ବେଳେ ଏମଫିଲ୍‌ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ଶ୍ରୀ ସିହ୍ନା କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଛନ୍ତି। ତେବେ ସେ କାହିଁକି ହଠାତ୍‌ ଇସ୍ତଫା ଦେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ପିକେ ସିହ୍ନା ୟୁପିଏ ସରକାରରେ ମଧ୍ୟ ୪ଟି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରିସାରିଥିଲେ।

ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ଶ୍ରୀ ସିହ୍ନାଙ୍କ୍‌ ଶକ୍ତି ମନ୍ତ୍ରଣାଳୟର ସଚିବ କରାଯାଇଥିଲା। ସେହିପରି ସେ ୪ ବର୍ଷ ଧରି ସେ କ୍ୟାବିନେଟ୍‌ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।