ପେଟ ମାଡ଼ି ଶୋଇଲେ, କରୋନାକୁ ମାତ ଦେଲେ ୮୨ ବର୍ଷୀୟ ମହିଳା

ଗୋରଖପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ପେଟ ମାଡ଼ି ଶୋଇବାରୁ ଜଣେ ବୃଦ୍ଧା କେମିତି ମହାମାରୀ କରୋନାକୁ ମାତ୍‌ ଦେଇପାରିଲେ? ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଅକ୍ସିଜେନ ପାଇଁ ଡହଳ ବିକଳ ହେଉଛନ୍ତି।

କିନ୍ତୁ ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ୮୨ ବର୍ଷୀୟ ବୃଦ୍ଧା କରୋନାକୁ ବିନା ଅକ୍ସିଜେନ ସିଲିଣ୍ଡରର ସହାୟତାରେ ବେଶ ସହଜରେ ମାତ ଦେଇପାରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇଥିଲେ। ସେ ପେଟ ମାଡ଼ି ଶୋଇ ରହିବାରୁ ତାଙ୍କ ଅକ୍ସିଜେନ ସ୍ତର ଧୀରେଧୀରେ ବଢ଼ିଥିଲା।

ଶେଷରେ ସେ କରୋନାକୁ ମାତ ଦେଇ ସୁସ୍ଥ ମଧ୍ୟ ହୋଇଥିଲେ। ସେ କୌଣସି ଅକ୍ସିଜେନ ସିଲିଣ୍ଡରର ବ୍ୟବହାର ନ କରି ସୁସ୍ଥ ହୋଇଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଚଳିତ ମାସ ଆରମ୍ଭରେ ଗୋରଖପୁରର ଅଲୀନଗରରେ ରହୁଥିବା ୮୨ ବର୍ଷୀୟ ବିଦ୍ୟା ଶ୍ରୀବାସ୍ତବ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ବଡ଼ ପୁଅ ହରି ମୋହନ ଶ୍ରୀବାସ୍ତ କହିଛନ୍ତି, “ମୋ ମା’ କରୋନାରେ ଆକ୍ରାନ୍ତ ହେବା ପରେ ଆମେ ତାଙ୍କୁ ହୋମ ଆଇସୋଲେସନରେ ରଖିଥିଲୁ। ଗୋଟିଏ ଦିନ ତାଙ୍କ ଅକ୍ସିଜେନ ଲେଭଲ ୭୯କୁ ଖସି ଯାଇଥିଲା। ଏହା ଦେଖି ପରିବାରର ସବୁ ସଦସ୍ୟ ବ୍ୟସ୍ତ ହୋଇଯାଇଥିଲେ।

ତଥାପି ଆମେ ଆଶା ଛାଡ଼ି ନଥିଲୁ। ମା’ଙ୍କୁ ପେଟ ମାଡ଼ି ଶୋଇବାକୁ କହିଥିଲୁ। ସେ ମଧ୍ୟ ବେଡ୍‌ରେ ପେଟ୍‌କୁ ପ୍ରେସ କରି ଶୋଇ ରହିଥିଲେ। ଏମିତି ପେଟ ମାଡ଼ି ଶୋଇବା ରହିବାରୁ ତାଙ୍କ ଶରୀରର ଅକ୍ସିଜେନ ସ୍ତର ଧୀରେଧୀରେ ବଢ଼ିଥିଲା। ୪ ଦିନ ପରେ ଏହା ୯୪ ଛୁଇଁ ଯାଇଥିଲା। ଅକ୍ସିଜେନ ସ୍ତର ଠିକ୍‌ ହୋଇଯିବାରୁ ସେ କରୋନାକୁ ମଧ୍ୟ ମାତ ଦେଇଥିଲେ। ଏବେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।”

୪ ଦିନ କାଳ ହରି ମୋହନ ତାଙ୍କ ମା’ଙ୍କ ରୁମ୍‌ରେ ରହିଥିଲେ ଓ ନିୟମିତ ଅକ୍ସିଜେନ ସ୍ତର ଚେକ୍‌ କରୁଥିଲେ। ଏହି ସମୟରେ ସେ ଅକ୍ସିଜେନ ସିଲିଣ୍ଡରର ଆଦୌ ବ୍ୟବହାର କରି ନଥିଲେ।

ହରି ମୋହନ ଆହୁରି କହିଛନ୍ତି, ପୂରା ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଆମେ କେହି ବି ଆଶା ଛାଡ଼ି ନଥିଲୁ। ପରସ୍ପରକୁ ଆମେ ସବୁବେଳେ ପଜିଟିଭ ମାନସିକତା ମଧ୍ୟରେ ରଖିବାକୁ ଚେଷ୍ଟା କରୁଥିଲୁ। ଡାକ୍ତରଙ୍କ ପରାମର୍ଶକ୍ରମେ ଆମେ ମେଡିସିନ ଖାଇବା ସହ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲୁ। ଉତ୍ତମ ଖାଦ୍ୟ ସହ ସକାରାତ୍ମକ ମାନସିକତା ଯୋଗୁ ଆମ ପରିବାର କରୋନାକୁ ମାତ୍‌ ଦେଇପାରିଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।