ବିଜେପି ନେତା ଗିରଫ: ପଞ୍ଜାବ ପୁଲିସ୍ ହରିଆଣାରେ ଅଟକ, ଦିଲ୍ଲୀରେ ଅପହରଣ ମାମଲା
ନୂଆଦିଲ୍ଲୀ: ବିଜେପି ନେତା ତଜିନ୍ଦର ପାଲ ସିଂହ ବଗାଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିବା ପରେ ରାଜନୀତି ଜୋର ଧରିଛି। ବିଜେପି ଏହି ଗିରଫଦାରୀକୁ ରାଜନୀତି ଓ ଧର୍ମ ସହ ଯୋଡ଼ି ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଦାୟୀ କରିଛି। ଆଜି ସକାଳେ ପଞ୍ଜାବ ପୁଲିସ୍ର ୫୦ ଜଣିଆ ଟିମ ଦିଲ୍ଲୀରେ ପହଞ୍ଚି ତଜିନ୍ଦରଙ୍କୁ ଗିରଫ କରିଥିଲା। ତାଙ୍କୁ ଦିଲ୍ଲୀରୁ ମୋହାଲି ନିଆଯାଉଥିବା ବେଳେ ହରିଆଣା ପୁଲିସ୍ ଅଧ ବାଟରେ ପଞ୍ଜାବ ପୁଲିସ୍କୁ ଅଟକାଇଛି।
ସେହିପରି ତଜିନ୍ଦର ବାପାଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ମଧ୍ୟ ପଞ୍ଜାବ ପୁଲିସ୍ ନାଁରେ ଅପହରଣ ମାମଲା ରୁଜୁ କରିଛି। ଏହି ଅଟକ ଓ ଅପହରଣ ଘଟଣାକୁ ନେଇ ୩ ରାଜ୍ୟର ପୁଲିସ୍ ମୁହାଁମୁହିଁ ହୋଇଛନ୍ତି। ସେହିପରି ବିଜେପିର ନେତାମାନେ ମଧ୍ୟ ଆପ୍ ସରକାରଙ୍କୁ କ୍ରମାଗତ ଭାବେ ସମାଲୋଚନା କରିଚାଲିଛନ୍ତି। ହରିଆଣା ଗୃହ ମନ୍ତ୍ରୀ ଅନୀଲ ଭିଜ୍ ଖୋଲାଖୋଲି ଗିରଫଦାରୀକୁ ବିରୋଧ କରିଛନ୍ତି। ଏଥିସହ ସେ ଗିରଫ ବଗାଙ୍କୁ ଦିଲ୍ଲୀ ପୁଲିସ୍କୁ ହରିଆଣା ପୁଲିସ୍ ହସ୍ତାନ୍ତର କରିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଗୋଟିଏ ଭିଡିଓ ବାର୍ତ୍ତାରେ ବିଜେପିର ଦିଲ୍ଲୀ ମୁଖପାତ୍ର ନବୀନ କୁମାର ଜିନ୍ଦଲ କହିଛନ୍ତି, ଆଜି ସକାଳ ୮.୩୦ରେ ପଞ୍ଜାବ ପୁଲିସର ୫୦ ଜଣ ସଦସ୍ୟ ବଗାଙ୍କ ଘରେ ଧସେଇ ପଶିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏପରି କି ତାଙ୍କୁ ଶିଖ ପଗଡ଼ି ପିନ୍ଧିବାକୁ ମଧ୍ୟ ଅନୁମତି ଦିଆଯାଇ ନଥିଲା। ପଞ୍ଜାବରେ ଶିଖ ମୁଖମନ୍ତ୍ରୀ ଥିବା ବେଳେ ଏପରି ଆଚରଣ ଆଦୌ ଗ୍ରହଣୀୟ ବୋଲି ସେ କହିଛନ୍ତି।
ତଜିନ୍ଦରଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ପୁଲିସ୍ର ଆଚରଣକୁ ସେ ମୋବାଇଲରେ ରେକର୍ଡ କରିବାକୁ ଚାହୁଁଥିବା ବେଳେ ସେମାନେ ତାଙ୍କୁ ମାଡ଼ ମାରିଛନ୍ତି। ସେ କହିଛନ୍ତି, “ଆଜି ସକାଳେ ୧୦ରୁ ୧୫ ଜଣ ପୁଲିସ୍ ଆମ ଘରକୁ ଆସିଥିଲେ। ଏହାପରେ ସେମାନେ ତଜିନ୍ଦରକୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଥିଲେ। ମୁଁ ଏହି ଘଟଣାର ଭିଡିଓ ଶୁଟିଂ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ମୋତେ ଆଉ ଗୋଟିଏ ରୁମକୁ ନେଇ ଯାଇଥିଲା ଓ ମୋ ମୁହଁକୁ ପଞ୍ଚ ମାରିଥିଲା।”
ଉସକାଇବା ଭଳି ବୟାନ, ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଓ ସୋଶାଲ ମିଡିଆରେ ମିଛ କଥା ପ୍ରଚାର କରିବା ଆଦି ଅଭିଯୋଗରେ ପଞ୍ଜାବର ସାଇବର ସେଲ୍ ତଜିନ୍ଦରଙ୍କ ନାଁରେ ମାମଲା କରିଥିଲା। ତାଙ୍କୁ ପ୍ରାୟ ୫ଥର ହାଜର ପାଇଁ ନୋଟିସ କରାଯାଇଥିଲେ ମଧ୍ୟ ସେ ତଦନ୍ତରେ ଆଦୌ ସହଯୋଗ କରି ନଥିଲେ। ଏଥିପାଇଁ ତାଙ୍କୁ ପଞ୍ଜାବ ପୁଲିସ୍ ଦିଲ୍ଲୀ ଆସି ଉଠାଇଥିବା ଜଣାପଡ଼ିଛି। ଦିଲ୍ଲୀରେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ବଗାଙ୍କୁ ପଞ୍ଜାବ ନିଆଯିବ। କିନ୍ତୁ ଏସବୁ ଭିତରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇ ଯାଇଛି। ସେହିପରି ପଞ୍ଜାବ ଓ ଦିଲ୍ଲୀ ମଝିରେ ଥିବା ହରିଆଣା ସରକାର ମଧ୍ୟ ଅଧ ବାଟରେ ପଞ୍ଜାବ ପୁଲିସ୍କୁ ଅଟକାଇଛନ୍ତି।
लुच्चे-लफ़ंगो की पार्टी भाजपा नेता @TajinderBagga को पंजाब पुलिस ने गिरफ़्तार किया। मुख्यमंत्री अरविंद केजरीवाल जी को दिया था “जीने नही देंगे” की धमकी। pic.twitter.com/LzZmPVaDRQ
— MLA Naresh Balyan (@AAPNareshBalyan) May 6, 2022
ସୋଶାଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତଜିନ୍ଦର ନିୟମିତ ସମାଲୋଚନା କରି ଆସୁଛନ୍ତି। ବିଶେଷ କରି କଶ୍ମୀର ଫାଇଲ୍ସ ଫିଲ୍ମକୁ ଦିଲ୍ଲୀରେ କେଜ୍ରିୱାଲ ଟିକସ ମୁକ୍ତ ନ କରିବାରୁ ତଜିନ୍ଦର ତାଙ୍କୁ ଖୋଲାଖୋଲି ଧମକ ଦେଇଥିଲେ।
କେଜ୍ରିୱାଲଙ୍କୁ ଧମକ ଦେବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ଆପ୍ ବିଧାୟକ ନରେଶ ବାଲୟାନ ଟ୍ୱିଟ କରି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, “ଗୁଣ୍ତାଗର୍ଦ୍ଦି କରୁଥିବା ପାର୍ଟି ବିଜେପିର ଜଣେ ନେତାଙ୍କୁ ଆଜି ପଞ୍ଜାବ ପୁଲିସ ଗିରଫ କରିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଞ୍ଚିବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।